ଇନ୍ଦିରା ଜୟସିଂହଙ୍କୁ ନେଇ କଙ୍ଗନା ଦେଇଥିବା ପ୍ରତିକ୍ରିୟାକୁ ନାପସନ୍ଦ କଲେ ଅଭିନେତ୍ରୀ ସିମି ଗରେୱାଲ, ଦୋଷୀଙ୍କ ସର୍ବସମ୍ମୁଖ ଫାଶୀକୁ ସମର୍ଥନ କଲେ

ନୂଆଦିଲ୍ଲୀ: ଗତକାଲି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କୁ କଡ଼ା ସମାଲୋଚନା କରିଥିଲେ। କାରଣ ଇନ୍ଦିରା ଜୟସିଂହ ନିକଟରେ ନିର୍ଭୟାଙ୍କ ମା’ ଆଶା ଦେବୀଙ୍କୁ ସମସ୍ତ ଦୋଷୀଙ୍କୁ କ୍ଷମା କରିଦେବା ପାଇଁ କହିଥିଲେ। ଏହାକୁ ବିରୋଧ କରି କଙ୍ଗନା  କହିଥିଲେ, ଇନ୍ଦିରା ଜୟସିଂହଙ୍କୁ ଅନ୍ୟ ଦୋଷୀଙ୍କ ସହ ଜେଲ୍‌ରେ ରଖାଯିବା‌ ଉଚିତ। ଏଭଳି ମହିଳା ହିଁ ଏମିତି ରାକ୍ଷସଙ୍କୁ ଜନ୍ମ ଦେଇଥାନ୍ତି ବୋଲି କଙ୍ଗନା କହିବା ସହ ସମସ୍ତ ଦୋଷୀଙ୍କୁ ସର୍ବସମ୍ମୁଖରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦାବି କରିଥିଲେ।

କଙ୍ଗନାଙ୍କ ଏହି ଟିପ୍ପଣୀକୁ ସମର୍ଥନ କରିଛନ୍ତି ଦିଗ୍ଗଜ ଅଭିନେତ୍ରୀ ଓ ଉପସ୍ଥାପିକା ସିମି ଗରେୱାଲ। ସେ କଙ୍ଗନାଙ୍କ ଦୋଷୀଙ୍କୁ ସର୍ବସମ୍ମୁଖରେ ଫାଶୀ ଖୁଣ୍ଟରେ ଝୁଲାଇବା ଟିପ୍ପଣୀକୁ ସମର୍ଥନ କରିବା ସହ ମହିଳାଙ୍କ ଅଧିକାର ପାଇଁ ଜୀବନ ସାରା ଲଢ଼େଇ କରିଥିବା ଆଇନଜୀବୀ ଇନ୍ଦିରା ଜୟସିଂହଙ୍କୁ ନେଇ କଙ୍ଗନା ଯେଉଁ ମନ୍ତବ୍ୟ ଦେଇଥିଲେ, ତାକୁ ବିରୋଧ କରିଛନ୍ତି। ପ୍ରଥମ ଟୁଇଟରେ ସେ ନିଜର ପୂର୍ବ ଟୁଇଟକୁ ରି-ଟୁଇଟ୍ କରିଛନ୍ତି। ଯେଉଁଥିରେ ଲେଖାଯାଇଛି କି, ମୋ ପୂର୍ବ ଟୁଇଟ୍ ହିସାବରେ ମୁଁ କଙ୍ଗନାଙ୍କ ସହ ଏକମତ । ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ସର୍ବସମ୍ମୁଖରେ ଫାଶୀ ଖୁଣ୍ଟରେ ଝୁଲାଇଦେବା ଦରକାର। ଯାହାଦ୍ବାରା ଅପରାଧି ମନରେ ଆଇନକୁ ନେଇ ଡ଼ର ସୃଷ୍ଟି ହେବ।

ନିଜ ଦ୍ବିତୀୟ ଟୁଇଟରେ ସେ ଲେଖିଛନ୍ତି କି, ଇନ୍ଦିରା ଜୟସିଂହ ଜଣେ ଭଲ ମଣିଷ ଏବଂ ବୁଦ୍ଧିମାନ ଆଇନଜୀବୀ। ମହିଳମାନଙ୍କ ନ୍ୟାୟ ଏବଂ ଅଧିକାର ଦେବା ପାଇଁ ସେ ନିଜ ଜୀବନ ଲଗାଇ ଦେଇଛନ୍ତି। ମୁଁ ତାଙ୍କୁ କେବେ ଭେଟି ନାହିଁ ସତ, ହେଲେ ତାଙ୍କ କାମ ବିଷୟରେ ଜାଣିଛି। ତାଙ୍କ କାମ ପାଇଁ ତାଙ୍କୁ ସମ୍ମାନ ଦେବା ଦରକାର। ତେବେ ଏଭଳି ମହିଳା ହିଁ ଏମିତି ରାକ୍ଷସଙ୍କୁ ଜନ୍ମ ଦେଇଥାନ୍ତି ବୋଲି କଙ୍ଗନା ଇନ୍ଦିରା ଜୟସିଂହଙ୍କୁ ନେଇ ଯେଉଁ ବୟାନ ଦେଇଥିଲେ, ତାହା ଉପରେ ନିଜର ପ୍ରତିକ୍ରିୟା ରଖି ନିଜର ଦ୍ବିତୀୟ ଟୁଇଟ୍ କରିଛନ୍ତି ସିମି ଗରେୱାଲ।

ସମ୍ବନ୍ଧିତ ଖବର