ସିନ୍ଧୁନଦୀ ଜଳବଣ୍ଟନ ବିବାଦ : ଆସନ୍ତା ସପ୍ତାହରେ ଭାରତ ଆସିବେ ପାକ ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ : ବହୁ ବିବାଦ ପରେ ଭାରତ ଶେଷରେ ପାକିସ୍ତାନି ପ୍ରତିନିଧିମଣ୍ଡଳକୁ ଚେନାବ ନଦୀ ଉପରେ ନିର୍ମାଣାଧୀନ ନଦୀବନ୍ଧ ପରିଦର୍ଶନ ପାଇଁ ଅନୁମତି ଦେଇଛି । ଆସନ୍ତା ସପ୍ତାହରେ ପାକିସ୍ତାନର ଏକ ୩ ଜଣିଆ ବିଶେଷଜ୍ଞ ଦଳ ଭାରତ ଆସିବେ । ଗତବର୍ଷ ଅଗଷ୍ଟ ମାସରେ ପାକିସ୍ତାନର ଲାହୋରଠାରେ ସ୍ଥାୟୀ ସିନ୍ଧୁ ନଦୀ ଆୟୋଗର ବସିଥିବା ବୈଠକରେ ଉଭୟ ପକ୍ଷର ପ୍ରତିନିଧିମଣ୍ଡଳକୁ ପରସ୍ପରର ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ସତ୍ତ୍ୱେ ଭାରତ ପାକ ପ୍ରତିନିଧିମଣ୍ଡଳୀକୁ  ଚେନାବ ନଦୀ  ଉପରେ ନିର୍ମିତ ଡ୍ୟାମ ପରିଦର୍ଶନ ପାଇଁ ଅନୁମତି ଦେଉନାହିଁ ବୋଲି ପାକିସ୍ତାନୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ବିବାଦ ଦେଖାଦେଇଥିଲା । କିନ୍ତୁ ଭାରତ ଏହାକୁ ଅସ୍ୱୀକାର କରଥିଲା । ତେବେ ଜାମ୍ମୁ ଓ କାଶ୍ମୀରର  ପଂଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ଟିକିଏ ଘୁଞ୍ଚାଇ ଦିଆଯାଇଥିଲା ବୋଲି ଭାରତ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ ହିମାଳୟରୁ ବାହାରି ଥିବା ୬ଟି ନଦୀ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ ।  ୧୯୬୦ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟତିନୋଟି ନଦୀ ପାକିସ୍ତାନ ନିୟନ୍ତ୍ରଣରେ ରହିଛି । କିନ୍ତୁ ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତ ଏହି ଚୁକ୍ତିକୁ ମାନୁନାହିଁ । ଏହି ଚୁକ୍ତିକୁ ନ ମାନି ଭାରତ ନଦୀବନ୍ଧ ନିର୍ମାଣ କରୁଛି ବୋଲି ପାକ କହିଛି ।
ସମ୍ବନ୍ଧିତ ଖବର