ଭାରତୀୟ ଡାକ୍ତରଙ୍କ କମାଲ: କୌଣସି ଅଙ୍ଗକୁ ନ କାଟି ବେକ ଭିତରୁ ବାହାର କଲେ ୫୩ଟି ପଥର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଥିବା ସର ଗଙ୍ଗାରାମ ଡାକ୍ତରଖାନାର ଡାକ୍ତରମାନେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଡାକ୍ତରୀ ଟିମ୍‌ କରିଥିବା କମାଲର ଚର୍ଚ୍ଚା ଏବେ ଚାରିଆଡ଼େ ଆରମ୍ଭ ହୋଇଛି । ଇରାକ୍‌ରୁ ଆସିଥିବା ଜଣେ ୬୬ବର୍ଷୀୟ ବୃଦ୍ଧାଙ୍କ ବେକ ଭିତରୁ କୌଣସି ଗ୍ରନ୍ଥିକୁ ନ କାଟି ୫୩ଟି ପଥର ବାହାର କରିବା କାମ ପାଇଁ ଏବେ ଲୋକେ ଡାକ୍ତରୀ ଟିମ୍‌କୁ ପ୍ରଶଂସା କରିବାରେ ଲାଗିଛନ୍ତି ।

इराक से इलाज कराने भारत आई महिला
oneindia.com

ସୂଚନା ମୁତାବକ, ବାଘ୍‌ଦାଦ୍‌ରେ ରହୁଥିବା ବୃଦ୍ଧା କିଛି ଖାଉଥିଲେ ବା କିଛି ପିଇବା ପରେ ତାଙ୍କ ଡ଼ାହାଣ ପଟ ପାରୋଟଏଡ୍‌ ଗ୍ରନ୍ଥି ଫୁଲିବା ସହ ଅସହନୀୟ ଯନ୍ତ୍ରଣା ହେଉଥିଲା । ଯାହା ପରେ ପରେ ତାଙ୍କୁ ଅନେକ ଜିନିଷ ଖାଇବାକୁ ବାରଣ କରାଯାଇଥିଲା । ଇରାକ୍‌ରେ ସେ ବିଭିନ୍ନ ଡାକ୍ତରଙ୍କୁ ଦେଖାଇବା ପରେ ସେମାନେ ବୃଦ୍ଧାଙ୍କୁ ରାଡିକାଲ ପ୍ରକ୍ରିୟା ଆପଣାଇ ପାରୋଟଏଡ୍‌ ଗ୍ରନ୍ଥିକୁ କାଢ଼ିଦେବା ପାଇଁ କହିଥିଲେ । ଏପରି କରିଥିଲେ ତାଙ୍କ ମୁହଁ ସଂପୂର୍ଣ୍ଣ ଭାବେ ଅଚଳ ହୋଇଯାଇଥାନ୍ତା । ପରେ ସେ ଭାରତ ଆସି ନିଜର ଚିକିତ୍ସା କରାଇବା ପାଇଁ ଚିନ୍ତା କରିଥିଲେ । ସର ଗଙ୍ଗାରାମ ଡାକ୍ତରଖାନା ଆସିବା ପରେ ବୃଦ୍ଧାଙ୍କ ପାରୋଟଏଡ୍‌ ଗ୍ରନ୍ଥିରେ ଏକାଧିକ ପଥର ଥିବା ଏକ୍ସ-ରେ ରିପୋର୍ଟରୁ ସାମ୍ନାକୁ ଆସିଥିଲା । ଭିତରର କୌଣସି ଗ୍ରନ୍ଥିଙ୍କୁ କ୍ଷତି ନ ପହଞ୍ଚାଇ ସମସ୍ତ ପଥରକୁ ବାହାର କରିବା ଡାକ୍ତରୀ ଟିମ୍‌ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ଯାହାକୁ ସେମାନେ ଗ୍ରହଣ କରିବା ସହ ବୃଦ୍ଧାଙ୍କ ବେକରୁ ସମସ୍ତ ପଥର ବାହାର କରିବା ପାଇଁ ଡାକ୍ତରୀ ଟିମ୍‌ ବାସ୍କେଟ୍‌ ଓ ଫୋସ୍‌ସେପ୍ସର ବ୍ୟବହାର କରି ଗୋଟେ ପରେ ଗୋଟେ ପଥର ବାହାର କରିଥିଲେ । ସବୁଠାରୁ ବଡ଼ ପଥରର ଆକାର ୮ମିଲିମିଟର ଥିବା ସହ ଏବେ ବୃଦ୍ଧା ସୁସ୍ଥ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର