ସିରିୟା ଉପରେ ଇରାନ୍‌ର କ୍ଷେପଣାସ୍ତ୍ର ମାଡ଼

ଡାମାସକସ: ସିରିୟାରେ ଅବସ୍ଥାପିତ ଇସ୍ରାଏଲ ସେନା ଶିବିର ଉପରେ ଇରାନ ପ୍ରଚଣ୍ଡ ଆକ୍ରମଣ କରିଛି। ଆଜି ଭୋର୍‌ ସମୟରେ ଇରାନ୍‌ ୨୦ରୁ ଊର୍ଦ୍ଧ୍ୱ କ୍ଷେପଣାସ୍ତ୍ର ମାଡ଼ କରିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ଇସ୍ରାଏଲ୍‌ ସେନା ତୁରନ୍ତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରେ ଏହାକୁ ଧ୍ୱଂସ କରିବା ପାଇଁ ପଦକ୍ଷେପ ନେଇଥିଲା। ଏହି ଘଟଣା ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଇରାନର ଏହି ଆକ୍ରମଣର କଡ଼ା ଜବାବ୍‌ ଦିଆଯିବ ବୋଲି ଇସ୍ରାଏଲ ସରକାର କହିଛନ୍ତି। ନିକଟରେ ଇରାନ ସହ ଥିବା ପରମାଣୁ ଚୁକ୍ତିରୁ ଆମେରିକା ଓହରି ଆସିବା ପରେ ସିରିୟାରେ ଆଧିପତ୍ୟ ଜାହିର କରି ଆସିଥିବା ରୁଷ ସହ ଇରାନର ସମ୍ପର୍କ ବୃଦ୍ଧି ପାଇଛି। ସିରିୟାରୁ ଆମେରିକା, ଇସ୍ରାଏଲ ଓ ଏହାର ସମର୍ଥକ ଗୋଷ୍ଠୀଙ୍କୁ ହଟାଇ ଏଠାରେ ଥିବା ବହୁମୂଲ୍ୟ ତୈଳ କୂପଗୁଡ଼ିକୁ ହାସଲ କରିବା ପାଇଁ ଇରାନ ଓ ରୁଷ ଷଡ଼ଯନ୍ତ୍ର ଚଳାଇଥିବା କୁହାଯାଉଛି। ବୁଧବାର ବିଳମ୍ବିତ ରାତିରେ ଇରାନ୍‌ ସେନା ଗୋଲାନ ସହର ଓ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟକରି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଉକ୍ତ କ୍ଷେପଣାସ୍ତ୍ର ଗୁଡ଼ିକ ମଧ୍ୟରୁ ୧୩ଟିକୁ ଆକାଶରେ ହିଁ ଧ୍ୱଂସ କରି ଦିଆଯାଇଥିବା ଇସ୍ରାଏଲ ସେନା ମୁଖପାତ୍ର ଜୋନାଥନ କେନ୍‌ରିକ୍ସ କହିଛନ୍ତି। ସେପଟେ ଇସ୍ରାଏଲ ମଧ୍ୟ ଏହାର ଜବାବ୍‌ରେ ଇରାନ ସେନା ଶିବିର ଓ କ୍ଷେପଣାସ୍ତ୍ରଗାର ଉପରକୁ କ୍ରୁଜ୍‌ ମିସାଇଲ ଏବଂ ବୋମା ମାଡ଼ କରିଛି। ତେବେ ଇସ୍ରାଏଲ ଓ ଇରାନ ପୁଣିଥରେ ମହାଁମୁହିଁ ହେବା ପରେ ସିରିଆରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଇରାନ୍‌ ଆକ୍ରମଣରେ ୫ ଜଣ ସିରିୟା ସୈନ୍ୟ ଏବଂ ଏହାର ମିତ୍ର ରାଷ୍ଟ୍ରମାନଙ୍କର ୧୯ ଜଣ ସୈନିକ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର