ସିରିୟା ଯୁଦ୍ଧ: ୭ ବର୍ଷରେ ୫ ଲକ୍ଷ ନିହତ

କୋଟିଏ ଲୋକଙ୍କ ପଳାୟନ

ଡାମାସ୍କସ୍‌: ସିରିୟା ଯୁଦ୍ଧକୁ ଚଳିତ ସପ୍ତାହରେ ୭ ବର୍ଷ ପୂରିଛି। ବିଗତ ୭ ବର୍ଷ ମଧ୍ୟରେ ଏହି ଯୁଦ୍ଧରେ ୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୧ କୋଟି ଲୋକ ବାସଚ୍ୟୁତ ହେବା ପରେ ରାଷ୍ଟ୍ରଛାଡ଼ି ପଳାୟନ କରିଛନ୍ତି। ଯୁଦ୍ଧ ବିଧ୍ୱସ୍ତ ସହରଗୁଡ଼ିକର ଅବସ୍ଥା ସାଂଘାତିକ ସ୍ଥିତିରେ ରହିଛି ଏବଂ ପୁନଃ ନିର୍ମାଣ ପ୍ରକ୍ରିୟା ବର୍ତ୍ତମାନର ସ୍ଥିତିରେ ଅସମ୍ଭବ ବ୍ୟାପାର ବୋଲି କୁହାଯାଉଛି। ଏକଦା ମଧ୍ୟପ୍ରାଚ୍ୟର ସବୁଠାରୁ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର ବିବେଚିତ ହେଉଥିବା ସିରିୟା ବିଗତ ୭ ବର୍ଷର ଯୁଦ୍ଧରେ ସଂପୂର୍ଣ୍ଣ ଛାରଖାର ହୋଇଯାଇଥିବା ବେଳେ ଏହି ରାଷ୍ଟ୍ରର ଭବିଷ୍ୟତ କ’ଣ ହେବ ତାହା କେହି ଆକଳନ କରିପାରୁ ନାହାନ୍ତି। ୨୦୧୧ରେ ଆରବ ବିଦ୍ରୋହ ପରିପ୍ରେକ୍ଷୀରେ ସିରିୟାରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା। ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଦ୍ରୋହୀମାନେ ସଶସ୍ତ୍ର ସଂଘର୍ଷ ପାଇଁ ଓହ୍ଲାଇବା ପରେ ଜଟିଳ ସ୍ଥିତି ସୃଷ୍ଟି ହୋଇଥିଲା। ଜୁଲାଇ ୨୦୧୧ରେ ସିରିୟା ସେନାରୁ ବାହାରି ଆସିଥିବା ଲକ୍ଷାଧିକ ସୈନିକ ବିଦ୍ରୋହୀ ସେନା ଗଠନ କରି ସରକାର ବିରୋଧରେ ଲଢ଼େଇ ଆରମ୍ଭ କଲେ ଏବଂ ଦେଶରେ ଭୟାବହ ଗୃହଯୁଦ୍ଧ ଆରମ୍ଭ ହେଲା । ପରେ ପରେ ଏହି ଏହି ଗୃହଯୁଦ୍ଧ ଏକ ଅନ୍ତର୍ଜାତୀୟ ସଙ୍କଟର ରୂପ ନେଲା ଏବଂ ବିଭିନ୍ନ ରାଷ୍ଟ୍ର ଏଥିରେ ସରକାରଙ୍କ ସମର୍ଥନ ଓ ବିରୋଧରେ ସାମିଲ ହେଲେ। ସିରିୟା ସରକାରଙ୍କୁ ଇରାନ୍‌, ରୁଷ୍‌ ଦୃଢ଼ ସମର୍ଥନ କରିଥିବା ବେଳେ ଇରାକ୍‌, ଆଫଗାନିସ୍ତାନ ଏବଂ ୟେମେନ୍‌ର ସିହା ବିଦ୍ରୋହୀମାନେ ସିରିୟା ସରକାରଙ୍କ ସମର୍ଥନରେ ରଣାଙ୍ଗନକୁ ଓହ୍ଲାଇଲେ। ଅନ୍ୟପକ୍ଷରେ ଆମେରିକା ଓ ଏହାର ଅନ୍ୟ ମିିତ୍ର ରାଷ୍ଟ୍ରମାନେ ସିରିୟା ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ସିରିୟା ସେନା ବିରୋଧରେ ଯୁଦ୍ଧରେ ଅବତୀର୍ଣ୍ଣ ହେଲେ। ଅଲ୍‌ କାଏଦା ଏବଂ ଇସ୍‌୍‌ଲାମିକ ଷ୍ଟେଟ୍‌ ବିଦ୍ରୋହୀଙ୍କ ସପକ୍ଷରେ ପ୍ରଥମେ ଥିବା ବେଳେ ପରବର୍ତ୍ତୀ ସମୟରେ ଆଇଏସ୍‌ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା। ତେବେ ବିଗତ ୭ ବର୍ଷର ଲଢ଼େଇରେ ଆଇଏସ୍‌ ମୂଳପୋଛ ଅବସ୍ଥାକୁ ଚାଲି ଆସିଛି। ବିଗତ ୫ ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ଜାତିସଂଘ ଓ ଅନ୍ୟ ମାନବାଧିକାର ସଂଗଠନଗୁଡ଼ିକର ରିପୋର୍ଟରୁ ଜଣାପଡ଼ିଛି। ବନ୍ଦୀ ଅବସ୍ଥାରେ ରହିଥିବା ଲକ୍ଷାଧିକ ଲୋକଙ୍କ ଅବସ୍ଥା କ’ଣ ହେଲା ସେ ସଂପର୍କରେ ଚିତ୍ର ଅସ୍ପଷ୍ଟ ରହିଛି। ସିରିୟାର ସମସ୍ତ ପ୍ରମୁଖ ସହର ଆଇଏସ୍‌ ଓ ଏବଂ ବିଦ୍ରୋହୀଙ୍କ କବ୍‌୍‌ଜାରୁ ମୁକ୍ତ ହୋଇଥିବା ବେଳେ ସିରିୟା ସରକାରୀ ସେନା ରୁଷ୍‌୍‌ ସହାୟତାରେ ସଫଳତା ହାସଲ କରିଛନ୍ତି। ତେବେ ସିରିୟା ସଙ୍କଟ ଏବେ ବି ଜଟିଳ ସ୍ଥିତିରେ ରହିଛି। ସିରିୟାର ପୁନଃ ନିର୍ମାଣ ନିକଟ ଭବିଷ୍ୟତରେ ସମ୍ଭବ ନୁହେଁ ବୋଲି ଜଣାପଡ଼ିଥିବା ବେଳେ ସିରିୟାକୁ ନେଇ ରୁଷ୍‌ ଓ ଆମେରିକା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଉଭୟ ରାଷ୍ଟ୍ରର ସେନା ସେଠାରେ ଡେରା ଜମାଇ ରହିଥିବାରୁ ଆମେରିକାର ପ୍ରଭାବକୁ ଗୌଣ କରିବା ପାଇଁ ରୁଷ୍‌ ଏବେ ବିଦ୍ରୋହୀଙ୍କୁ ଦମନ କରିବା ପାଇଁ ଜୋର୍‌ଦାର ଆକ୍ରମଣ ଜାରି ରଖିଛି।

ହସ୍ପିଟାଲରେ ବିମାନ ଆକ୍ରମଣ, ୨୦ ମୃତ
ଡାମାସ୍କସ୍‌: ସିରିୟାର ଆଫ୍ରିିନ୍‌ ସହର ସ୍ଥିତ ଏକ ହସ୍ପିଟାଲ୍‌ ଉପରେ ତୁର୍କୀ ସେନା କରିଥିବା ବିମାନ ଆକ୍ରମଣରେ ୨୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କୌଣସି ହସ୍ପିଟାଲ୍‌ କର୍ମଚାରୀ ନଥିବା ବେଳେ ଦୁଇ ଜଣ ଗର୍ଭବତୀ ରହିଥିବା ଜଣାଯାଇଛି। ତୁର୍କୀ ସେନା ଏବଂ ଏହାର ସିରିୟା ବିଦ୍ରୋହୀ ମେଣ୍ଟ ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ ଆଫ୍ରିନ୍‌ ସହରର ଏକମାତ୍ର ହସ୍ପିଟାଲ୍‌ ଏବେ ମାଟିରେ ମିଶିଯାଇଛି। ଏହି ଆକ୍ରମଣ ପରେ ସିରିୟା ସେନା ପ୍ରତି ଆକ୍ରମଣ ପାଇଁ ବଡ଼ ଧରଣର ପଦକ୍ଷେପ ଆରମ୍ଭ କରିଛି। ବିଗତ ସପ୍ତାହକ ମଧ୍ୟରେ ସରକାରୀ ଓ ବିଦ୍ରୋହୀ ସେନାଙ୍କ ଆକ୍ରମଣରେ ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଜିର ହସ୍ପିଟାଲ ଆକ୍ରମଣକୁ ନେଇ ସିରିୟାରେ କାର୍ଯ୍ୟରତ ବିଭିନ୍ନ ମାନବାଧିକାର ସଂଗଠନ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର