ସୁନାରିଆ ଜେଲରେ ବନ୍ଦୀ ଥିବା ରାମ ରହିମଙ୍କୁ ଜେରା: ଏସ୍‌ଆଇଟି ପଚାରିଲା ୨୭୫ଟି ପ୍ରଶ୍ନ

ଚଣ୍ଡୀଗଡ଼: ହରିୟାଣା ପୁଲିସର ଏକ ସ୍ୱତନ୍ତ୍ର ଯାଞ୍ଚ ଦଳ (ଏସ୍‌ଆଇଟି) ଅଗଷ୍ଟ ୨୫ ତାରିଖରେ ପଞ୍ଚକୁଲା ଓ ସିର୍‌ସାରେ ହୋଇଥିବା ହିଂସା ସମ୍ପର୍କରେ ରୋହତକର ସୁନାରିଆ ଜେଲରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମଙ୍କୁ ଜେରା କରିଛି। ଅଗଷ୍ଟ ୨୫ ତାରିଖରେ ହୋଇଥିବା ହିଂସାରେ ୪୧ଜଣଙ୍କ ମୃତ୍ୟୁ ହେବା ସହିତ ୧୦୦ରୁ ଊର୍ଧ୍ୱ ଗୁରୁତର ଆହତ ହୋଇଥିଲେ।

ପଞ୍ଚକୁଲା ପୁଲିସ ଉପାୟୁକ୍ତ ମନବୀର ସିଂହ  ରାମ ରହିମଙ୍କୁ ସିର୍‌ସାରେ ସୃଷ୍ଟି ହୋଇଥିବା ହିଂସା ସମ୍ପର୍କରେ ଜେରା କରା ଯାଇଛି ବୋଲି କହିଛନ୍ତି। ଜେରା ପରେ ସ୍ୱତନ୍ତ୍ର ଯାଞ୍ଚ ଦଳ ଚଣ୍ଡୀଗଡ଼ ଫେରି ଆସିଥିଲେ।

ତେବେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ଏସ୍‌ଆଇଟି ରାମରହିମଙ୍କୁ ସିର୍‌ସା ସୃଷ୍ଟି ହୋଇଥିବା ହିଂସା ନେଇ ୨୭୫ଟି ପ୍ରଶ୍ନ ପଚାରିଥିଲେ।

ଉଲ୍ଲେଖଯୋଗ୍ୟ, ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ପଞ୍ଚକୁଲା ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ ୨୦ବର୍ଷ ଜେଲଦଣ୍ଡର ଶୁଣାଣି କରିବା ସହିତ ୩ଲକ୍ଷ ଟଙ୍କା ଜରିମାନା କରିଥିଲେ। ତେବେ ଦୋଷୀସାବ୍ୟସ୍ତ ଗୁରୁମିତ ରାମ ରହିମଙ୍କ ପରେ ତାଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନ୍‌ସା ସିର୍‌ସାରେ ହିଂସା ସୃଷ୍ଟି କରିବା, ରାମ ରହିମଙ୍କୁ ଫେରାର ଉଦ୍ୟମ ଓ ଦେଶଦ୍ରୋହ ମାମଲାରେ ଛନ୍ଦି ହୋଇ ଜେଲଦଣ୍ଡ ଭୋଗୁଛନ୍ତି।

ପଞ୍ଚକୁଲାରେ ହିଂସା ସୃଷ୍ଟି କରିଥିବା ଅଭିଯୋଗରେ ଏସ୍‌ଆଇଟି ଏଯାବତ୍‌ ହନିପ୍ରୀତଙ୍କ ସହିତ ୧୫ଜଣଙ୍କୁ ଗିରଫ କରି ସାରିଛି। ପୁଲସ ଏହି ଅଭିଯୁକ୍ତଙ୍କ ବିରୋଧରେ ପଞ୍ଚକୁଲା କୋର୍ଟରେ ଚାର୍ଜସିଟ୍‌ ଫାଇଲ କରିସାରିଛି। ତେବେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଅନ୍ୟ ଅପରାଧ ସହିତ ଜଡ଼ିତ ଥିବା ତଥା ଦେଶଦ୍ରୋହର ଅଭିଯୋଗରେ ହନିପ୍ରୀତଙ୍କ ସହିତ ଅନ୍ୟ ୧୧ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ହରିୟାଣା ପୁଲିସ ୧,୦୦୦ଜଣ ଡେରା ସମର୍ଥକଙ୍କ ନାମରେ ୧୭୩ଟି ମାମଲା ରୁଜୁ କରିଛି। ଯେଉଁମାନେ କି ସିର୍‌ସାରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ସହିତ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର