ମାତା ସୀତାଙ୍କୁ ଟେଷ୍ଟ ଟ୍ୟୁବ୍‌ ବେବି କହିଲେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା

ଲକ୍ଷ୍ନୌ : ଗୁରୁବାର ହିନ୍ଦୀ ସାମ୍ବାଦିକତା ଦିବସ ପାଳନ ଅବସରରେ ଯୋଗ ଦେଇ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଦେଇଥିବା କିଛି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହିନ୍ଦୀ ସାମ୍ବାଦିକତା ଦିବସ ପାଳନରେ ଯୋଗ ଦେଇ ସେ ବିଜ୍ଞାନ ଏବଂ ପୌରାଣିକ କଥା ମଧ୍ୟରେ ଥିବା ସମାଞ୍ଜସ୍ୟ ବିଷୟରେ ଦର୍ଶାଇଥିଲେ । ନାରଦଙ୍କୁ ସେ ଗୁଗଲ୍‌ ସହ ତୁଳନା କରିବା ସହ ସେ ସମୟରେ ମଧ୍ୟ ଟେଷ୍ଟ ଟ୍ୟୁବ୍‌ ମାଧ୍ୟମରେ ପିଲା ଜନ୍ମ କରାଯାଇ ପାରୁଥିଲା ବୋଲି ଯୁକ୍ତି ବାଢ଼ିଥିଲେ । ଏହି କଥାଟିକୁ ବୁଝାଇବାକୁ ଯାଇ ସେ ମାତା ସୀତାଙ୍କୁ ଟେଷ୍ଟ ଟ୍ୟୁବ୍‌ ବେବି ବୋଲି କହିଥିଲେ। କାରଣ ସେ ସାଧାରଣ ମଣିଷ ଭଳି ଜନ୍ମ ନ ହୋଇ ମାଟି ତଳୁ ବାହାରିଥିଲେ ।

India TV

ଦିନେଶଙ୍କ ଏହି ତୁଳନା ବିଷୟରେ ଶୁଣି ସେଠାରେ ଉପସ୍ଥିତ ଥିବା ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ ଏତିକିରେ ଅଟକି ନ ଥିଲେ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା । ମହାଭାରତ ସମୟରେ ଆଜିକା ସମୟ ପରି ଲାଇଭ୍‌ ଟେଲିକାଷ୍ଟର ସୁବିଧା ଥିଲା ବୋଲି ସେ ସମସ୍ତଙ୍କୁ ଜଣାଇଥିଲା । ମହାଭାରତ ଯୁଦ୍ଧ ଚାଲିଥିବା ବେଳେ ସଞ୍ଜୟ ଯୁଦ୍ଧର ଟିକିନିଖି ଖବର ଧୃତରାଷ୍ଟ୍ରଙ୍କୁ ଜଣାଉଥିଲେ । ରାଜପ୍ରାସାଦରେ ଥାଇ ମଧ୍ୟ ସେ ରଣଭୂମିର ସବୁ ଖବର ଜଣାଇ ପାରୁଥିଲେ, ଯାହା ଲାଇଭ୍‌ ଟେଲିକାଷ୍ଟ ସହ ସମାନ ବୋଲି ଦିନେଶ ଶର୍ମା କହିଥିଲେ । ଏପରି ତୁଳନା କରିବାରେ ଉପମୁଖ୍ୟମନ୍ତ୍ରୀ ପ୍ରଥମ ନୁହନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏପରି ତୁଳନା କରି ସାରିଛନ୍ତି । ପ୍ଲାଷ୍ଟିକ୍‌ ସର୍ଜରୀ ପ୍ରଭୁ ଗଣେଶଙ୍କଠାରୁ ଆରମ୍ଭ ହୋଇଥିଲା ବୋଲି ମୋଦି କହିଥିବା ବେଳେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମହାଭାରତ ସମୟରୁ ଇଣ୍ଟରନେଟ୍‌ ଆରମ୍ଭ ହୋଇଥିଲା ବୋଲି ଦାବି କରିଥିଲେ ।

ସମ୍ବନ୍ଧିତ ଖବର