ପାକିସ୍ତାନ ନ ସୁଧୁରିଲେ ସେନା ଚୁପ୍‌ ବସିବନି: ସୀତାରମଣ

ନୂଆଦିଲ୍ଲୀ: ପାକିସ୍ତାନ ଅସ୍ତ୍ରବିରତି ଚୁକ୍ତିକୁ ସମ୍ମାନ ଦେଉନି। ସପ୍ତାହେ ତଳେ ଅସ୍ତ୍ରବିରତି ଚୁକ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ପାକିସ୍ତାନ କିନ୍ତୁ ଗତ ରବିବାର ଦିନ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଭାରତର ଦୁଇ ଜଣ ବିଏସଏଫ୍‌ ଯବାନ ସହିଦ ହୋଇଯାଇଥିଲେ। ତେବେ ପାକିସ୍ତାନର ଏଭଳି କାର୍ଯ୍ୟକୁ ଆଦୌ ବରଦାସ୍ତ କରାଯିବନାହିଁ। ପାକିସ୍ତାନ ନସୁଧୁରିଲେ ଭାରତୀୟ ସେନା ମଧ୍ୟ ଚୁପ୍‌ ବସିବ ନାହିଁ। ଭାରତ ରମଜାନ୍‌ ଅସ୍ତ୍ରବିରତିକୁ ସମ୍ମାନ ଦେବ କିନ୍ତୁ କୌଣସି ଅଚାନକ ଆକ୍ରମଣର ଜବାବ୍‌ ଦେବାପାଇଁ ମଧ୍ୟ ଭାରତୀୟ ସେନାବାହିନୀକୁ ଅଧିକାର ଦିଆଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କହିଛନ୍ତି। ଆଜି ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରାଳୟର ସଫଳତା ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିର୍ମଳା ଏହା କହିଛନ୍ତି। ତେବେ ପାକିସ୍ତାନ ସହ ଦ୍ୱିପାକ୍ଷିକ ଆଲୋଚନା ଏବେ ସମ୍ଭବ କି ଏକ ପ୍ରଶ୍ନର ଉତ୍ତରରେ ନିର୍ମଳା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଆତଙ୍କବାଦ ଏବଂ ଆଲୋଚନା କେବେ ଏକ ସମୟରେ ହୋଇପାରିବ ନାହିଁ। ସୀତାରମଣ କହିଛନ୍ତି ସୀମାରେ ଅସ୍ତ୍ରବିରତି ଯେତିକି ଗୁରୁତ୍ୱପୂର୍ଣ୍ଣ ଦେଶରେ କୌଣସି ଆତଙ୍କବାଦୀ ଆକ୍ରମଣର ଜବାବ୍‌ ଦେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ସୀମାରେ ସୁରକ୍ଷା ଆମର ଦାୟିତ୍ୱ। ତେଣୁ କୌଣସି ଆକ୍ରମଣ ସମୟରେ ଆମେ କଦାବି ଆଦୌ ଚୁପ୍‌ ରହିବୁନି ବୋଲି ସୀତାରମଣ ପାକିସ୍ତାନକୁ ଚେତାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ସପ୍ତାହକ ତଳେ ଉଭୟ ଦେଶର ଡିଜିଏମ୍‌୍‌ଓ ୨୦୦୩ ଅସ୍ତ୍ରବିରତି ଚୁକ୍ତିକୁ ପାଳନ କରିବା ପାଇଁ ସହମତି ପ୍ରକାଶ କରିଥିଲେ ଏବଂ ପାକିସ୍ତାନ ଏ ଦିଗରେ କୌଣସି ସର୍ତ୍ତ ଉଲ୍ଲଂଘନ କରିବ ନାହିଁ ବୋଲି ପ୍ରତିଶ୍ରୃତି ଦେଇଥିଲା। କିନ୍ତୁ ଏହାର ମାତ୍ର କେଇଟା ଦିନ ପରେ ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଭାରତର ଦୁଇଜଣ ଯବାନ ସହିଦ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର