ସୀତାଙ୍କୁ ହରଣ କରିଥିଲେ ରାମ: ଗୁଜରାଟ ପାଠ୍ୟପୁସ୍ତକରେ ବର୍ଣ୍ଣିତ

ଅହମଦାବାଦ: ସୀତାଙ୍କୁ କିଏ ହରଣ କରିଥିଲେ? ସାନ ପିଲାଟିଏ ମଧ୍ୟ ଏହାର ଠିକ୍‌ ଉତ୍ତର ଦେଇ ପାରିବ। କିନ୍ତୁ ଗୁଜରାଟ ବୋର୍ଡର ଦ୍ୱାଦଶ ଶ୍ରେଣୀ ସଂସ୍କୃତ ପୁସ୍ତକ ‘ରାମାୟଣ’ରୁ ନେଇଥିବା ମୌଳିକ ତଥ୍ୟଟି ଭୁଲ୍‌: ଏଥିରେ ଉଲ୍ଲେଖ ଅଛି ଯେ ହରଣକାରୀ ପ୍ରଭୁ ରାମ, ରାବଣ ନୁହନ୍ତି।

‘‘ଏଠାରେ କବି ନିଜର ମୌଳିକ ଚିନ୍ତା ଓ ଭାବନା ସହ ରାମଙ୍କର ଚରିତ୍ରର ସୁନ୍ଦର ଚିତ୍ର ବ୍ୟକ୍ତ କରିଛନ୍ତି। ରାମ ସୀତାଙ୍କୁ ହରଣ କରିନେବା ପରେ ଲକ୍ଷ୍ମଣ ରାମଙ୍କୁ ହୃଦୟସ୍ପର୍ଶୀ ବର୍ଣ୍ଣନାପୂର୍ବକ ବାର୍ତ୍ତା ଜଣାଉଛନ୍ତି।’’- ଏକଥା ଲେଖା ଯାଇଛି ‘ସଂସ୍କୃତ ସାହିତ୍ୟର ଉପକ୍ରମଣିକା’ ଶୀର୍ଷକ ପୁସ୍ତକର ୧୦୬ ନମ୍ବର ପୃଷ୍ଠାରେ। କେବଳ ଏତିକି ନୁହେଁ, ବହିରେ ବର୍ଣ୍ଣାଶୁଦ୍ଧିର ସୀମା ନାହିଁ। କେବଳ ଇଂରାଜି ମାଧ୍ୟମ ପିଲାଙ୍କ ବହିରେ ଏଭଳି ତ୍ରୁଟି ଜଳଜଳ ହୋଇ ଦେଖା ଯାଉଥିବା ବେଳେ ଗୁଜରାଟୀ ପାଠ୍ୟପୁସ୍ତକରେ ସଂସ୍କୃତ କବି କାଳିଦାସଙ୍କ ରଚିତ କାବ୍ୟ ‘ରଘୁବଂଶମ୍‌’ର ଏହି ପାରାଟି ଠିକ୍‌ ଅଛି।

ଅବସରପ୍ରାପ୍ତ ସଂସ୍କୃତ ପ୍ରଫେସର୍‌ ବସନ୍ତ ଭଟ୍ଟ କହନ୍ତି: ସଭିଏଁ ଜାଣନ୍ତି ରାବଣ ସୀତାଙ୍କୁ ହରଣ କରିଥିଲେ। ‘ରଘୁବଂଶମ୍‌’ରେ ମଧ୍ୟ ଏଇ ବର୍ଣ୍ଣନା ରହିଛି।

ଗାନ୍ଧୀନଗର ଅନ୍ତର୍ଗତ ‘ଗୁଜରାଟ ଷ୍ଟେଟ୍‌ ବୋର୍ଡ ଅଫ୍‌ ସ୍କୁଲ୍‌ ଟେକ୍ସଟ୍‌ବୁକ୍‌ସ୍‌’ ଅଧ୍ୟକ୍ଷ ଡକ୍ଟର୍‌ ନୀତିନ ପେଥାନିଙ୍କୁ ଯୋଗାଯୋଗ କରିବାରୁ ପ୍ରଥମେ ସେ କହିଲେ କି, ଏ କଥା ସେ ଜାଣନ୍ତି ନାହିଁ। କିନ୍ତୁ, ପରେ ଏହା ଏକ ତ୍ରୁଟି ବୋଲି ସେ ସ୍ୱୀକାର କରିଛନ୍ତି।

ସେ କହିଛନ୍ତି: ଏହା ଅନୁବାଦଗତ ପ୍ରମାଦ। ରାବଣ ସ୍ଥାନରେ ରାମ ହୋଇ ଯାଇଛି। ଗୁଜରାଟୀ ପାଠ୍ୟପୁସ୍ତକରେ ତ୍ରୁଟି ନାହିଁ।

ସମ୍ବନ୍ଧିତ ଖବର