ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ରହିଛି : ଚୀନ

ବେଜିଂ : ସୀମରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା କମୁନଥିବାବେଳେ ଚୀନ ପକ୍ଷରୁ ଆଜି ଏକ ବଡ଼ ବୟାନ ଆସିଛି । ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି ଯେ ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ରହିଛି । ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ଲାଗି ଦୁଇଦେଶ ମଧ୍ୟରେ ଉପଯୁକ୍ତ ଯୋଗାଯୋଗ ଲାଇନ ଖୋଲା ରହିଛି । ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ ସୀମାରେ ଚୀନର ସ୍ଥିତି ସ୍ଥିର ଓ ଅପରିବର୍ତ୍ତିତ ରହିଛି ।

ସେ କହିଛନ୍ତି ଯେ ଦୁଇ ଦେଶର ନେତାଙ୍କ ସହମତିରେ ହୋଇଥିବା ରାଜିନାମା ଅନୁସାରେ ଏହି ସମସ୍ୟାର ସମାଧାନ କରାଯାଉଛି । ଚୀନ ରାଷ୍ଟ୍ରପତି ସି ଜିନ ପିଂ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା ଅଣଔପଚାରିକ ଆଲୋଚନାକୁ ନଜରରେ ରଖି ସେ ଏହା କହିଛନ୍ତି ।

କିନ୍ତୁ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଲଦାଖ ସୀମାରେ ଚୀନ ସେନା ନିଜର ଶକ୍ତି ବଢାଇଚାଲିଥିବାବେଳେ ଭାରତ ମଧ୍ୟ ତାହାକୁ ତାଳଦେଇ ନିଜର ସୈନସଂଖ୍ୟା ବଢାଇଚାଲିଛି । ଦୁଇଦେଶ ମଧ୍ୟ କୂଟନୈତିକ ସ୍ତରରେ ଆଲୋଚନା ଚାଲିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁନାହିଁ । ଚୀନ ସୀମାରେ ଭାରତ ପକ୍ଷରୁ ଭିତ୍ତିଭୂମି ନିର୍ମାଣକୁ ବିରୋଧ କରୁଛି । ମାତ୍ର ଏଥର ସ୍ଥିତି ଅଧିକ ଗୁରୁତର ଆକାର ଧାରଣ କରିବାରେ ଲାଗିଛି । ତେବେ ଚୀନର ଚାପ ସତ୍ତ୍ବେ ସୀମାରେ ସଡ଼କ ଓ ପୋଲ ଆଦି ଭିତ୍ତିଭୂମି ନିର୍ମାଣ ଜାରି ରଖିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର