ଥଣ୍ଡା ପଡ଼ିଲା ଲଢ଼େଇ, ଧାରଣାରୁ ଉଠିଲେ ମମତା

ନିର୍ଦେଶ ଦେଲେ ସୁପ୍ରିମ କୋର୍ଟ ସିବିଆଇରେ ହାଜର ହେବେ କୋଲକାତା ପୁଲିସ କମିସନର, ଗିରଫ କରାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: କୋଲକାତା ପୁଲିସ କମିସନର ରାଜୀବ କୁମାର ସିବିଆଇରେ ହାଜର ହେବେ। ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ସହଯୋଗ କରିବେ। କିନ୍ତୁ ତାଙ୍କୁ ଗିରଫ କରାଯାଇପାରିବ ନାହିଁ। କିମ୍ବା ତାଙ୍କ ବିରୋଧରେ ଅନ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ‌େହବ ନାହିଁ। ସିବିଆଇ-ମମତା ଲଢ଼େଇ ମାମଲାରେ ସୁପ୍ରିମ କୋର୍ଟ ଆଜି ଏଭଳି ନିର୍ଦେଶ ଦେଇଛନ୍ତି। ଏହାସହିତ ସିବିଆଇ ଯେଉଁ ଅଭି‌େଯାଗ ଆଣିଛି ତାହା ଉପରେ ସର୍ବୋଚ୍ଚ ଅଦାଲତ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦେଶକଙ୍କୁ ନୋଟିସ ଜାରି କରିଛନ୍ତି। ସୁପ୍ରିମ କୋର୍ଟଙ୍କ ଏହି ଆଦେଶ ଉଭୟ କେନ୍ଦ୍ର ସରକାର ଏବଂ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଶ୍ବସ୍ତ କରିଛି। ଏହାଦ୍ବାରା ଗଣତନ୍ତ୍ରର ବିଜୟ ହୋଇଛି ବୋଲି କହି ତିନି ଦିନ ଧରି ଧାରଣ‌‌ାରେ ବସିଥିବ‌‌ା ମମତା ତାଙ୍କର ସତ୍ୟାଗ୍ରହ ସମାପ୍ତ କରିଛନ୍ତି। କେନ୍ଦ୍ରକୁ ସୁପ୍ରିମ କୋର୍ଟ ଠିକଣା ଜବାବ ଦେଇଛନ୍ତି‌ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ତଦନ୍ତରେ ସହଯୋଗ କରିବାକୁ ତାଙ୍କ ସରକାର ସର୍ବଦା ପ୍ରସ୍ତୁତ। ସେହିପରି କେନ୍ଦ୍ର ସରକାର ମଧ୍ୟ ଏହାକୁ ସିବିଆଇର ବିଜୟ ବୋଲି ବର୍ଣ୍ଣନା କରିଛି। କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଏହା ମମତାଙ୍କ ପାଇଁ ଝଟ୍‌କା ହୋଇଛି। କୌଣସି ବ୍ୟକ୍ତି ଆଇନରୁ ଊର୍ଦ୍ଧ୍ବରେ ନୁହନ୍ତି। ‌େ‌ତବେ ଆଜି ସକାଳୁ ସମସ୍ତଙ୍କର ନଜର ସୁପ୍ରିମ କୋର୍ଟ ଉପରେ ଥିଲା। ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଶୁଣାଣିବେଳେ ସିବିଆଇ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ କହିଥିଲେ ଯେ ଏହି ମାମଲାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟି ପ୍ରମାଣ ନଷ୍ଟ କରିବାକୁ ପ୍ରୟାସ କରିଛି ଏବଂ ତଦନ୍ତକୁ ସଠିକ୍‌ ‌ଦିଗରେ ନେଇନାହିଁ। ପଶ୍ଚିମବଂଗରେ ସାମ୍ବିଧାନିକ ସଂସ୍ଥାକୁ ଧକ୍କା ଲାଗିଛି ଏବଂ ସିବିଆଇକୁ ଅଡ଼ୁଆରେ ପକାଇବାକୁ ନାନା ବିଭ୍ରାନ୍ତି ସୃଷ୍ଟି କରାଯାଇଛି ବୋଲି ସେ ଯୁକ୍ତି କରିଥିଲେ। ଅନ୍ୟପକ୍ଷରେ ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ଓକିଲ ଅଭିଷେକ ମନୁ ସିଂଘଭି କହିଥିଲେ ଯେ ସିବିଆଇ କୋଲକାତା ପୁଲିସ କମିସନରଙ୍କୁ ଅଯଥା ହଇରାଣ କରିବାକୁ ଚାହୁଥିଲା ଏବଂ ଏହା ପଛରେ ରାଜନୈତିକ ଚାପ ରହିଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ପ୍ରଧାନ ବିଚାରପତି ଗୋଗୋଇ କହିଥିଲେ ଯେ ରାଜୀବ କୁମାର ସିବିଆଇରେ ହାଜର ହୋଇ ତଦନ୍ତରେ ସହଯୋଗ କରନ୍ତୁ। ତେବେ ତାଙ୍କୁ ସିବିଆଇ ଗିରଫ ନକରିବାକୁ ନିର୍ଦେଶ ଦେଇଥିଲେ। ପଶ୍ଚିମବଂଗରେ ବିବାଦ ଲାଗି ରହିଥିବାରୁ ରାଜୀବ କୁମାର ମେଘାଳୟର ରାଜଧାନୀ ସିଲଂ ଯାଇ ସିବିଆଇରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହାସହିତ ସିବିଆଇ ପକ୍ଷରୁ ହୋଇଥିବା ମାନହାନି ମାମଲାରେ ସୁପ୍ରିମ୍‌ କୋର୍ଟ ରାଜ୍ୟ ମୁଖ୍ୟ ସଚିବ, ଡିଜିପି ଏବଂ କୋଲକାତା ପୁଲିସ କମିସନରଙ୍କୁ ନୋଟିସ୍ ଜାରି କରି ଜବାବ ରଖିବାକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦ ଫେବ୍ରୁଆରିରେ ହେବ। ସୁପ୍ରିମ୍‌ କୋର୍ଟଙ୍କ ରାୟ ଆସିବା ପରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନ ହେଲା ଚଳାଇଥିବା ଧାରଣାକୁ ଆଜି ସନ୍ଧ୍ୟାରେ ପ୍ରତ୍ୟାହାର କରିନେଇଛନ୍ତି। ଏହି ମାମଲାରେ ସେ ରାଜ୍ୟ ସରକାରଙ୍କ ନୈତିକ ବିଜୟ ହୋଇଥିବା ଦାବି କରିଛନ୍ତି। ସିବିଆଇର ଆଇନ ବହିର୍ଭୂତ କାର୍ଯ୍ୟ ଉପରେ ଅଙ୍କୁଶ ଲାଗିଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଜେପି କହିଛି ଯେ ମମତାଙ୍କ ସବୁ ଚାଲ ଏବେ ପଣ୍ଡ ହୋଇଯାଇଛି ଏବଂ ସୁପ୍ରିମ୍‌ କୋର୍ଟ ରାୟ ମମତା ସରକାରଙ୍କ ମୁଖା ଖୋଲିଦେଇଛି। କମିସନର ସିବିଆଇ ଜେରାରୁ ଆଉ ବର୍ତ୍ତିପାରିବେ ନାହିଁ ବୋଲି ବିଜେପି କହିଛି। ଅନ୍ୟପକ୍ଷରେ ଆଜି ଏହି ମାମଲାକୁ ନେଇ ସଂସଦ ଦ୍ବିତୀୟ ଦିନ ଧରି ଅଚଳ ରହିଛି। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଅନ୍ୟ ବିରୋଧୀ ଦଳ କେନ୍ଦ୍ର ସରକାର ଓ ସିବିଆଇ ବିରୋଧରେ ହଟ୍ଟଗୋଳ କରି ସଂସଦକୁ ଅଚଳ କରିଦେଇଥିଲେ। ଇତିମଧ୍ୟରେ ବିଜେପିର ପ୍ରମୁଖ ସହଯୋଗୀ ଶିବସେନା ଏହି ମାମଲାରେ ଆଜି କେନ୍ଦ୍ର ସରକାରଙ୍କର ସମାଲୋଚନା କରିଛି। କହିଛି ଯେ ସିବିଆଇକୁ ରାଜେନୖତିକ ଅସ୍ତ୍ର ରୂପେ ବ୍ୟବହାର କରାଯିବା ଠିକ୍ ନୁହେଁ।

ସମ୍ବନ୍ଧିତ ଖବର