କଂଗ୍ରେସକୁ ଶିବରାଜଙ୍କ ଆହ୍ବାନ: ୧୦ ଦିନରେ ଋଣ ଛାଡ଼ କରି ଦେଖାଅ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟକୁ ଶିବରାଜ ସିଂହ ଚୌହାନ ସ୍ବୀକାର କରିବା ସହ ଆଜି ସକାଳେ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଦଳର ପରାଜୟ ସମ୍ପର୍କରେ ସେ କହିଛନ୍ତି ଯେ ପରାଜୟ ପାଇଁ କେବଳ ମୁଁ ହିଁ ଦାୟୀ। ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଅତ୍ୟନ୍ତ ନିଷ୍ଠାପର ଭାବେ ପରିଶ୍ରମ କରିଥିଲେ ଏବଂ ‌ଲୋକଙ୍କ ସମର୍ଥନ ଆମ ପ୍ରତି ଅତୁଟ ରହିଛି। କଂଗ୍ରେସ ଦଳ ତା’ର ନିର୍ବାଚନୀ ଇସ୍ତାହାରରେ ୧୦ ଦିନ ମଧ୍ୟରେ ଋଣଛାଡ଼ କରିବାପାଇଁ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଦେଇ ଶିବରାଜ କହିଛନ୍ତି, କୃଷକଙ୍କ ଋଣଛାଡ଼ ନହେଲେ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ବଦଳାଇଦେବେ। କୃଷି ଋଣଛାଡ଼ ନେଇ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ଦିଗରେ ସେ ଚୌକିଦାର ଭଳି କାର୍ଯ୍ୟ କରିବେ। ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ପ୍ରଚାର ଅଭିଯାନ ଏବେଠାରୁ ଜୋରଦାର କରାଯିବ ବୋଲି ଶିବରାଜ କହିଛନ୍ତି।

ସମ୍ବନ୍ଧିତ ଖବର