ଫୋନ୍‌ରୁ ଧୂଅାଁ ବାହାରିବା ଯୋଗୁଁ ଉଡ଼ନ୍ତା ବିମାନରେ ଆତଙ୍କ

ଇନ୍ଦୋର/ଦିଲ୍ଲୀ: ଶୁକ୍ରବାର ଦିନ ଦିଲ୍ଲୀରୁ ଇନ୍ଦୋର ଅଭିମୁଖେ ଉଡ଼ି ଯାଉଥିବା ଜେଟ୍‌ ଏୟାର୍‌େଓ୍ଵଜ୍‌ର ଏକ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ତାଙ୍କ ହ୍ୟାଣ୍ଡ୍‌ ବ୍ୟାଗ୍‌ରେ ରଖିଥିବା ମୋବାଇଲ୍‌ ଫୋନ୍‌ରେ ନିଅାଁ ଲାଗି ଯାଇଥିଲା। ଫଳତଃ, କ୍ୟାବିନରେ ଧୂଅାଁ ଭର୍ତ୍ତି ହୋଇ ଯିବାରୁ ଯାତ୍ରାରତ ୮୦ ଜଣ ଯାତ୍ରୀ ଆତଙ୍କିତ ହୋଇ ଯାଇଥିଲେ। ସେ ଯାହାହେଉ, ବିମାନର କର୍ମକର୍ତ୍ତାମାନେ ତାଙ୍କୁ ଥୟ କରାଇବାରେ ସଫଳ ହୋଇ ଥିଲେ।

ସିଟ୍‌ ନମ୍ବର ୧୧ଇରେ ବସିଥିବା ଅର୍ପିତା ଧଳ ନାମ୍ନୀ ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରେ ଥିବା ମୋବାଇଲ୍‌ ଫୋନ୍‌ ଫାଟି ଥିଲା। ତାଙ୍କ ସ୍ୱାମୀ ଅତୁଳ ଧଳ କହିଛନ୍ତି: ଆମେ ସିଟ୍‌ ତଳୁ ଧଡ୍‌ ଶବ୍ଦ ଶୁଣିଲୁ ଏବଂ ପରେ ପରେ ଧୂଅାଁ ଖେଳି ଯାଇଥିଲା। ତିନୋଟି ମୋବାଇଲ୍‌ ଫୋନ୍‌ ଥିବା ମୋ ପତ୍ନୀଙ୍କ ହ୍ୟାଣ୍ଡ୍‌ ବ୍ୟାଗ୍‌ଟିକୁ ତାଙ୍କ ସିଟ୍‌ ତଳେ ରଖା ଯାଇଥିଲା।

Representative Image Courtesy of airliners.net

ଏକ ବିବୃତିରେ ଏୟାର୍‌ ଲାଇନ୍‌ ତରଫରୁ କୁହା ଯାଇଛି ଯେ ନିର୍ଦ୍ଦାରିତ ନିୟମାବଳୀ ଅନୁସାରେ ଜେଟ୍‌ ଏୟାର୍‌େଓ୍ଵଜ୍‌ର ପରିଚାରକମାନେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ଅଧିକ ତଦନ୍ତ ନିମନ୍ତେ ମୋବାଇଲ୍‌ ଫୋନ୍‌ଟିକୁ ହେପାଜତକୁ ନିଆଯାଇଛି। ବିସ୍ଫୋରଣରେ କୌଣସି ଯାତ୍ରୀ ଅଥବା ପରିଚାରକ ଆହତ ହୋଇ ନାହାନ୍ତି କି, କ୍ୟାବିନ୍‌ରେ କିଛି ନଷ୍ଟ ହୋଇ ନାହିଁ। ବିମାନଟି ନିରାପଦରେ ଅବତରଣ କରିଥିଲା।

ଦିଲ୍ଲୀରେ ପ୍ୟାକେଜିଙ୍ଗ୍‌ ବ୍ୟବସାୟ କରୁଥିବା ଧଳ ମୟୂର ବିହାର-୧ରେ ରହନ୍ତି ଏବଂ ସେ ନିଜ ପତ୍ନୀ, ୧୮ ମାସିଆ ପୁଅ ଏବଂ ବାପାଙ୍କୁ ନେଇ ଦୀପାବଳି ପାଳନ କରିବାକୁ ନିଜ ମାଈଁଙ୍କ ଘରକୁ ଯାଉଥିଲେ। ପରିଚାରକମାନେ ଜଳଖିଆ ପରିବେଷଣ କରିବାବେଳେ ଧୂଅାଁ ଉଠି କ୍ୟାବିନ୍‌ ପୂର୍ଣ୍ଣ ହୋଇ ଯାଇଥିଲା। ଜଣେ ପରିଚାରକ ତତ୍‌କ୍ଷଣାତ୍‌ ହ୍ୟାଣ୍ଡ୍‌ ବ୍ୟାଗ୍‌ଟିକୁ ଟାଣି ନେଇ ବିମାନର ପଛଆଡ଼େ ଥୋଇ ଦେଇ ଥିଲେ। ସେ ପରିବାରକୁ ମଧ୍ୟ ବିମାନର ପଛ ଆଡ଼କୁ ନିଆ ଯାଇଥିଲା।

Representative Image Courtesy of Trip JetAirways

ସେ ପରିଚାରକ ଜଣକ ଏକ ଫାୟାର୍‌ ଏକ୍‌ଷ୍ଟିଙ୍ଗ୍ୟୁସର୍‌ ଆଣିଥିଲେ ମଧ୍ୟ ତାହା କାମ କରି ନ ଥିଲା ବୋଲି ଧଳ କହନ୍ତି। ଯାତ୍ରୀଙ୍କ ପରାମର୍ଶ କ୍ରମେ ପାଣି ଢାଳି ନିଅାଁ ଲିଭା ଯାଇଥିଲା।

ମୋବାଇଲ୍‌ ଫୋନ୍‌ଟି କେଉଁ କମ୍ପାନି ଦ୍ୱାରା ନିର୍ମିତ ବୋଲି ଏୟାର୍‌ଲାଇନ୍‌ ତରଫରୁ କୌଣସି ବିବରଣୀ ଦିଆଯାଇ ନାହିଁ। କେବଳ ଏତିକି କୁହାଯାଇଛି ଯେ ୯ଡବ୍ଲୁ ୯୭୧ ବିମାନରେ ଯାତ୍ରାରତ ଜଣେ ଯାତ୍ରୀଙ୍କ ହ୍ୟାଣ୍ଡ୍‌ ବ୍ୟାଗ୍‌ରୁ ଧୂଅାଁ ବାହାରୁ ଥିବା ଦେଖା ଯାଇ ଥିଲା। ଏହି ମାମଲା ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌ (ଡିଜିସିଏ)କୁ ଅବଗତ କରାଇ ଦିଆ ଯାଇଛି। ବାରମ୍ବାର ନିଅାଁ ଲାଗୁ ଥିବାରୁ ଦୁଇ ବର୍ଷ ତଳେ ଡିଜିସିଏ ଏକ ନିର୍ଦ୍ଦିଷ୍ଟ କମ୍ପାନିର ମୋବାଇଲ୍‌ ବିମାନରେ ନେବାକୁ ମନା କରି ଦେଇଥିଲେ।

Representative Image Courtesy of Mathrubumi English

ଦୀର୍ଘ ପଥ ବିମାନ ଯାତ୍ରା କ୍ଷେତ୍ରରେ, ବିଶେଷ କରି ଆଖ ପାଖରେ ଓହ୍ଲାଇବାକୁ ବିମାନ ବନ୍ଦର ନ ଥାଇ ସମୁଦ୍ର ଉପର ଦେଇ ଯାତ୍ରା କରୁଥିବା ବିମାନଗୁଡ଼ିକ ନିମନ୍ତେ ଫାୟର୍‌ ପ୍ରୁଫ୍‌ ବାଧ୍ୟତାମୂଳକ କରା ଯିବ କି, ନାହିଁ ତାହା ଡିଜିସିଏ ପରୀକ୍ଷା କରୁଛି।

ସମ୍ବନ୍ଧିତ ଖବର