ରାହୁଲଙ୍କୁ ଟୁଇଟ କରି କଡ଼ା ସମାଲୋଚନା କଲେ ସ୍ମୃତି ଇରାନି

ନୂଆଦିଲ୍ଲୀ: କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି ଓ କେନ୍ଦ୍ରମନ୍ତ୍ରୀ ସ୍ମତି ଇରାନୀଙ୍କ ମଧ୍ୟରେ ଟୁଇଟ ଯୁଦ୍ଧ ତୀବ୍ର ହୋଇଛି। ସ୍ମୃତି ଇରାନୀ ଟୁଇଟ କରି ରାହୁଲଙ୍କୁ କଡା ସମାଲୋଚନା କରିଛନ୍ତି । ଟ୍‌ୱିଟରେ ସେ ଲେଖିଛନ୍ତି-ଜାମିନରେ ଥିବା ଲୋକ କୋର୍ଟକୁ ବ୍ୟଙ୍ଗ କରୁଛନ୍ତି କିନ୍ତୁ ମନେରଖ ଗୁଜରାଟରେ ବି ହାରିବ କଂଗ୍ରେସ ।

ଅମିତ ଶାହଙ୍କ ପୁଅ ଜୟଶାହଙ୍କୁ ନେଇ ରାହୁଲଙ୍କ ଟୁଇଟଙ୍କ ଜବାବରେ ସ୍ମୃତି ଇରାନୀ ଏହି ଟୁଇଟ କରିଛନ୍ତି। ରାହୁଲ ଟୁଇଟ କରି ମୋଦିଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଜୟ ଶାହ ମାମଲାରେ ପ୍ରଧାନମନ୍ତ୍ରୀ ନା କିଛି କହିବେ ନା କହିବାକୁ ଦେବେ । ଗୁଜରାଟରେ ଚଳିତବର୍ଷ ଶେଷସୁଦ୍ଧା ର୍ନିବାଚନ ହେବାର ଅଛି । ରାହୁଲ ଗାନ୍ଧି ମାରାଥନ ପ୍ରଚାର ଚଳାଇ ମୋଦିଙ୍କୁ ଓ ଅମିତ ଶାହଙ୍କୁ ଟାର୍ଗେଟ କରୁଛନ୍ତି । ବିଜେପି ଓ ମୋଦି ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରିବାରେ ପଛରେ ପଡିନାହାନ୍ତି ।

ପ୍ରକାଶିତ ଖବର ଅନୁଯାୟୀ, ଆସନ୍ତା ୨୪ ତାରିଖରେ ରାହୁଲ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେଇପାରନ୍ତି । ଆଜି ଏ ନେଇ ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ୧୦ ଜନପଥରେ ହେବାକୁ ଥିବା ବୈଠକରେ ରାହୁଲଙ୍କୁ ସଭାପତି କରିବା ଓ କଂଗ୍ରେସ ୱାର୍କିଙ୍ଗ କମିଟି ବୈଠକ ନେଇ ଏଜେଣ୍ଡା ପ୍ରସ୍ତୁତ କରାଯିବ।

ସୂଚନାଯୋଗ୍ୟ, ୨୪ ତାରିଖରେ ରାହୁଲ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବା ଏକପ୍ରକାର ନିଶ୍ଚିତ । ଆଜିର ବୈଠକରେ ଏହା ଉପରେ ମୋହର ମରାଯିବ । ବିଭିନ୍ନ ରାଜ୍ୟର ପିସିସି ରାହୁଲଙ୍କୁ ସଭାପତି କରାଯିବା ନେଇ ପ୍ରସ୍ତାବ ପାଶ କରିସାରିଛନ୍ତି । ଗତ କିଛି ଦିନ ଧରି ରାହୁଲ ପ୍ରଚାର ଶୈଳୀରେ ପରିବର୍ତନ ଆସିଛି । ଗୁଜରାଟଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ଆକ୍ରମଣ କରି ଚର୍ଚ୍ଚାରେ ଅଛନ୍ତି ରାହୁଲ। ଆଗାମୀ ହିମାଚଳ ଓ ଗୁଜରାଟ ବିଧାନସଭା ର୍ନିବାଚନ ରାହୁଲଙ୍କ ନେତୃତ୍ୱରେ ଲଢିବା ଲାଗି କଂଗ୍ରେସ ସ୍ଥିର କରିଛି ।

ସମ୍ବନ୍ଧିତ ଖବର