ସ୍ମୃତି ଇରାନୀ ଦେଇଥିଲେ ମୋଦିଙ୍କୁ ଧମକ, ତୁରନ୍ତ ଦିଅ ଇସ୍ତଫା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅମେଥିରୁ ନିର୍ବାଚନ ଜିତି ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛନ୍ତି ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ସ୍ମୃତି ଇରାନୀ | ମୋଦି, ଅମିତ ଶାହାଙ୍କ ପ୍ରଶଂସାରେ ଶତମୁଖ ହୋଇ ସବୁ ଗଣମାଧ୍ୟମକୁ ସାମ୍ନା କରୁଛନ୍ତି | ମୋଦିଙ୍କର ଲହର ଓ ବିକାଶର ପରିଭାଷା ଉତ୍ତରପ୍ରଦେଶ ଓ ଅମେଥିରେ କାମ କଲା ବୋଲି ସ୍ମୃତି କହୁଛନ୍ତି | କିନ୍ତୁ ଦିନେ ଏମିତି ସମୟ ଥିଲା ମୋଦିଙ୍କୁ ବିରୋଧ କରୁଥିଲେ ସ୍ମୃତି, ଆଉ ମୋଦି ଇସ୍ତଫା ନ ଦେଲେ ଆମରଣ ଅନଶନ କରିବେ ବୋଲି ଧମକ ବି ଦେଇଥିଲେ |

ଏହି ଘଟଣାଟି ହେଉଛି ୨୦୦୪ ମସିହାର | ସେତେବେଳେ ସ୍ମୃତି ମହାରାଷ୍ଟ୍ର ଯୁବ ବିଜେପିର ଉପାଧ୍ୟକ୍ଷା ଥିଲେ | ଯେତେବେଳେ ସାରା ଦେଶରେ ବିଜେପି ପରାଜିତ ହୋଇଥିଲା ସେତେବେଳେ ସ୍ମୃତିଙ୍କ କିଛି କାରନାମା ଚର୍ଚ୍ଚା ସୃଷ୍ଟି କରିଥିଲା | ସ୍ମୃତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରିଥିଲେ | ମୋଦି ଇସ୍ତଫା ନ ଦେବା ଯାଏଁ ଆମରଣ ଅନଶନ କରିବାକୁ ଧମକ ଦେଇଥିଲେ | ଏହାକୁ ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସ୍ମୃତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତାବ ରଖିଥିଲେ |

ଏହା ପରେ ନରମି ଥିଲେ ସ୍ମୃତି | ଧମକ ମିଳିବା ପରେ ଅନଶନରୁ ଓହରିଯାଇଥିଲେ | ଏହି ଘଟଣାଟି ପରେ କିନ୍ତୁ ଆଉ ପଛକୁ ଫେରି ଚାହିଁନଥିଲେ ସ୍ମୃତି | ୨୦୧୦ ମସିହାରେ ତାଙ୍କୁ ଭାଜପା ରାଷ୍ଟ୍ରୀୟ ସାଧାରଣ ସଂପାଦକଭାବେ ନିଯୁକ୍ତ କରିଥିଲା | ୨୦୧୧ ମସିହାରେ ସ୍ମୃତି ଇରାନୀ ଗୁଜୁରାଟରୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିଲେ | ଖାଲି ସେତିକି ନୁହେଁ ତାଙ୍କୁ ମୋଦି ନିଜ ମନ୍ତ୍ରୀମଣ୍ଡଳରେ ବି ପ୍ରଥମେ ମାନବସମ୍ବଳ ବିକାଶ ମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ।

ସମ୍ବନ୍ଧିତ ଖବର