ନିଶା ଔଷଧ ନୁହେଁ; ସୁନା ଚୋରା ଚାଲାଣ କର: ରାଜସ୍ଥାନ ବିଧାୟକ

ଯୋଧପୁର: ନିଶା ଔଷଧ ବିକ୍ରୟ କର ନାହିଁ। ଏଇଟା ଜାମିନହିନ ଅପରାଧ। ଏହା ପରିବର୍ତ୍ତେ ସୁନା ଚୋରା ଚାଲାଣ କଲେ ସହଜରେ ଜାମିନ ମିଳିଯିବ। ବୁଧବାର ଦିନ ସ୍ୱଦେଶୀ ସମ୍ପ୍ରଦାୟର ଏକ ସମାବେଶରେ ଭାଷଣ ଦେଲାବେଳେ ସମବେତ ଜନତାଙ୍କୁ ଏ କଥା କହିଛନ୍ତି ବିଲାରାର ବିଧାୟକ ଅର୍ଜୁନ ଲାଲ୍‌ ଗର୍ଗ ।

ସମବେତ ଜନତାଙ୍କୁ ବିଧାୟକ ସମ୍ଭାଷଣ ଦେଉଥିବା ବେଳର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ସମ୍ପ୍ରଦାୟକୁ ଗର୍ଗ କି ଭଳି ପ୍ରସ୍ତାବ ଦେଉଛନ୍ତି। ଏନ୍‌ଡିପିଏସ୍‌ ଆଇନ୍‌ ବଳରେ ଅପରାଧୀମାନଙ୍କୁ ଗିରଫ କରାଯାଇ ଯୋଧପୁର ଜେଲ୍‌ରେ ରଖାଯାଇଥିବା ବନ୍ଦୀଙ୍କ ସଂଖ୍ୟା ପ୍ରସଙ୍ଗରେ ବିଧାନସଭାରେ ଉଠାଇଥିବା ପ୍ରଶ୍ନ ପାଇଁ ଗର୍ଗ ଯେଉଁ ଉତ୍ତର ପାଇଥିଲେ ତା’ ପରେ ପରେ ସେ ଏମିତି ଉପଦେଶ ଦେଇଛନ୍ତି। ଏହା ପରେ ବିଧାୟକ ମହାଶୟ ଅବସର ବିନୋଦନ ପାଇଁ ଲଦାଖ ଯାତ୍ରା କରିଛନ୍ତି।

ନିଶା ଔଷଧ ଠାରୁ ଦୂରେଇ ରହିବା ପାଇଁ ତରୁଣ ବର୍ଗଙ୍କୁ ଚେତାଇ ଦେଇ ସେ ନିଜର ଭାଷଣ ଆରମ୍ଭ କରିଥିଲେ। କିନ୍ତୁ, ଏନ୍‌ଡିପିଏସ୍‌ ଆଇନ୍‌ ବଳରେ ଯୋଧପୁର ଜେଲ୍‌ରେ ଥିବା କଏଦୀଙ୍କ ପ୍ରସଙ୍ଗରେ କହିବା ବେଳେ ସେ ଭିନ୍ନ ଅଞ୍ଚଳକୁ ପଶିଯାଇଥିଲେ।

ସେ କହିଲେ: ନିଶା ଔଷଧ ଚୋରା ବିକ୍ରୟରେ ସ୍ୱଦେଶୀ ସମ୍ପ୍ରଦାୟ ବିଶ୍‌ନୋଇମାନଙ୍କ ରେକର୍ଡ ଭାଙ୍ଗି ସାରିଲେଣି। ପରେ ପରେ ସେ ଲୋକଙ୍କୁ ଉପଦେଶ ଦେଲେ କି, ସୁନା ବ୍ୟବସାୟ କରନ୍ତୁ, ସହଜରେ ଜାମିନ ମିଳିଯିବ। ସେ ପୁଣି କହିଲେ ଯଦି କିଛି ବେଆଇନ୍‌ ବେପାର କରିବାକୁ ଚାହୁଁଛନ୍ତି ତେବେ ସୁନା ଚୋରା ଚାଲାଣ କରନ୍ତୁ। ଉଭୟ ସାମଗ୍ରୀର ମୂଲ୍ୟ ପ୍ରାୟ ସମାନ। କିନ୍ତୁ ନିଶା ଔଷଧ ଠାରୁ ସୁନା ବ୍ୟବସାୟ ନିରାପଦ।
ନିଶା ଔଷଧ ବ୍ୟବସାୟ ବିରୋଧରେ ହଲପ୍‌ କରିବାକୁ ସେ ସମ୍ପ୍ରଦାୟର ବରିଷ୍ଠ ସଦସ୍ୟମାନଙ୍କୁ କହିବା ସହ ସମ୍ପ୍ରଦାୟଙ୍କୁ ସୁନା ବ୍ୟବସାୟରେ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ସମ୍ପ୍ରଦାୟର କୌଣସି ଲୋକ ନିଶା ଔଷଧ ପରିବର୍ତ୍ତେ ସୁନା ଚୋରା ଚାଲାଣ କରି ଧରାପଡ଼ନ୍ତି, ତାହା ହେବ ଗୌରବର ବିଷୟ।

ବିଲାରା ଅନ୍ତର୍ଗତ ଜୈତାଓ୍ଵାସ୍‌ ଗାଁରେ ଏକ ମନ୍ଦିରର କୌଣସି ଏକ ଉତ୍ସବରେ ମେ ୭ ତାରିଖ ଦିନ ବିଧାୟକ ଏମିତି ଭାଷଣ ଦେଇଥିଲେ। ଧାର୍ମିକ ବ୍ୟକ୍ତିତ୍ୱ, ଗୁରୁ ଓ ସର୍ବସାଧାରଣଙ୍କ ପ୍ରତିନିଧି ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସଭାରେ ବସିଥିଲେ।

ସମ୍ବନ୍ଧିତ ଖବର