ଇରାନ୍‌ର ତଥାକଥିତ ସର୍ବୋଚ୍ଚ ନେତା ନିଜ କଥା ପ୍ରତି ସତର୍କ ରୁହନ୍ତୁ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ଇରାନ୍‌ର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମିନି ନିଜେ କହୁଥିବା କଥା ପ୍ରତି ଅତି ସାବଧାନ୍‌ ରହିବା ଉଚିତ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। ତେହେରାନ୍‌ରେ ଶୁକ୍ରବାର ପ୍ରାର୍ଥନା ପରେ ଧାର୍ମିକ ଅଭିଭାଷଣ ଦେବା ସମୟରେ ଖାମିନି ଯୁକ୍ତରାଷ୍ଟ୍ର ଆମେରିକାକୁ ‘ଜୋକର୍‌’ କହି ତୀବ୍ର ସମାଲୋଚନା କରିଥିଲେ।

ଟୁଇଟ୍‌ କରି ଟ୍ରମ୍ପ୍‌ କହିଛନ୍ତି: ଅଳ୍ପ ଦିନ ତଳେ ଏତେ ବଡ଼ ଜଣା ପଡୁ ନ ଥିବା ଇରାନ୍‌ର ତଥାକଥିତ ‘ସର୍ବୋଚ୍ଚ ନେତା’ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇଉରୋପ୍‌ ଉପରେ ବାଜେ କଥା କହିଛନ୍ତି।

ତାଙ୍କ ଅର୍ଥନୀତି ଧ୍ୱଂସ ପାଉଛି। ତାଙ୍କ ଲୋକେ ଦୁର୍ଦଶାଗ୍ରସ୍ତ ହେଉଛନ୍ତି। ଆପଣା ବାକ୍ୟ ପ୍ରତି ସେ ହୁସିଆର ରହିବା ଉଚିତ!

ଏହାଛଡ଼ା ଇରାନ୍‌କୁ ପୁଣି ଥରେ ମହାନ୍‌ କରିବାକୁ ଟ୍ରମ୍ପ୍‌ ଇରାନ୍‌ର ନେତାମାନଙ୍କୁ କହିଛନ୍ତି।

Image Source: The Times of Israel

ସେ ଟୁଇଟ୍‌ କରି ଲେଖିଛନ୍ତି: ସମ୍ମାନ ଦାବି କରି ସେମାନଙ୍କୁ ମାରୁଥିବା ସରକାର ଅପେକ୍ଷା ସ୍ୱପ୍ନ ସାକାର କରାଇବାରେ ସହାୟକ ହେଉଥିବା ସରକାର ନିମନ୍ତେ, ଆମେରିକାକୁ ଶ୍ରଦ୍ଧା କରୁଥିବା ଇରାନ୍‌ର ସମ୍ଭ୍ରାନ୍ତ ଜନତା ଅଧିକ ଆଗ୍ରହୀ। ଇରାନ୍‌କୁ ରସାତଳଗାମୀ କରିବା ପରିବର୍ତ୍ତେ, ଏହାର ନେତାମାନେ ଆତଙ୍କବାଦ ପରିହାର କରି ଇରାନ୍‌କୁ ପୁଣି ଥରେ ମହାନ୍‌ କରନ୍ତୁ।

ଖାମିନି କରିଥିବା ଟୁଇଟ୍‌ର ଜବାବରେ ଟ୍ରମ୍ପ୍‌ ଏ କଥା ଲେଖିଛନ୍ତି।

ଟୁଇଟ୍‌ରେ ଖାମିନି ଲେଖିଥିଲେ ଯେ ଇରାନ୍‌ ଜନତାଙ୍କୁ ସହଯୋଗ କରୁଛି ବୋଲି ଦୁଷ୍ଟ ଆମେରିକୀୟ ସରକାର ବାରମ୍ବାର କହୁଛି। ସେମାନଙ୍କ କଥା ମିଛ। କେବଳ ଇରାନ୍‌ ଜନତାଙ୍କ ଛାତିରେ ବିଷାକ୍ତ ଭୁଜାଲି ଭୁସିବାକୁ ସେମାନେ ଆସି ହାଜର ହେଉଛନ୍ତି। କିନ୍ତୁ, ଏ ପର୍ଯ୍ୟନ୍ତ ଭୁଜାଲି ଭୁସିବାରେ ଆମେରିକା ସଫଳ ହୋଇ ନାହଁ, କି ହେବ ନାହିଁ।

ଏହା ପରେ ପରେ ଟ୍ରମ୍ପ୍‌ ଫାର୍ସି ଭାଷାରେ ଟୁଇଟ୍‌ କରିଥିଲେ: ଇରାନ୍‌କୁ ପୁଣି ଥରେ ମହାନ କରନ୍ତୁ!

ସମ୍ବନ୍ଧିତ ଖବର