ସୋପିଆନ୍‌ ଏନ୍‌କାଉଣ୍ଟର ୫ ଆତଙ୍କବାଦୀ ନିପାତ

ସୁରକ୍ଷାବାହିନୀ ଗୁଳିରେ ୨ ନାଗରିକ ମୃତ

ଶ୍ରୀନଗର: ଜମ୍ମୁ କଶ୍ମୀର ସୋପିଆନ୍‌ ଜିଲ୍ଲାରେ ଆଜି ସୁରକ୍ଷାବାହିନୀ କାର୍ଯ୍ୟାନୁଷ୍ଠାନରେ ୫ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଲସ୍କର ଏ ତୋଏବା ସଞ୍ଚାଳକ ଥିବା ଜଣାପଡ଼ିଛି। ସୂଚନାନୁଯାୟୀ ଶ୍ରୀନଗରଠାରୁ ୫୫ କିମି ଦୂର ସୋପିଆନ୍‌ର କିଲୁରା ଗ୍ରାମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ମିଳିବାପରେ ସୁରକ୍ଷାବାହିନୀ ଗତରାତିରେ ସମଗ୍ର ଗ୍ରାମକୁ ଘେରି ଯାଇଥିଲେ ଏବଂ ଆତଙ୍କବାଦୀଙ୍କ ଖସିବା ବାଟ ବନ୍ଦ ହୋଇଯାଇଥିଲା। ଆଜି ଭୋର୍‌ରୁ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା ଏବଂ ୬ ଘଣ୍ଟାର ଅପରେସନ ପରେ ୫ ଆତଙ୍କବାଦୀଙ୍କ ଶବ ଉଦ୍ଧାର ହୋଇଛି। ସେନା ଗୁଳିରେ ନିପାତ ହୋଇଥିବା ୫ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ଗାନୌପୋରା ଗ୍ରାମରେ ଆଜି ଶେଷ ସଂସ୍କାର ହେବାପରେ ଉଗ୍ର ଜନତା ହଠାତ୍‌ ସୁରକ୍ଷାବାହିନୀ ଉପରକୁ ପଥର ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷାବାହିନୀ ପକ୍ଷରୁ ଗୁଳିଚାଳନା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର