ଯବାନଙ୍କୁ ଅପହରଣ ପରେ ନୃଶଂସ ହତ୍ୟା

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲଓ୍ଵାମା ଜିଲ୍ଲାରେ ଜଣେ ଯବାନଙ୍କୁ ଆଜି ଆତଙ୍କବାଦୀମାନେ ଅପହରଣ କରିନେବାପରେ ହତ୍ୟା କରିଛନ୍ତି। ଆଜି ସନ୍ଧ୍ୟାରେ ଯବାନଙ୍କ ମୃତଦେହ ଗୁସୁ ଗ୍ରାମ ନିକଟରେ ଠାବ କରାଯାଇଛି। ତାଙ୍କ ବେକ ଓ ମୁଣ୍ଡକୁ ଗୁଳି କରି ଆତଙ୍କବାଦୀମାନେ ହତ୍ୟା କରିଥିବା ଜଣାପଡ଼ିଛି। ୪୪ ଆର ଆର କ୍ୟାମ୍ପ୍‌ର ଉକ୍ତ ଯବାନଙ୍କ ନାମ ଔରଙ୍ଗଜେବ ଏବଂ ସେ ଇଦ୍‌ ଛୁଟି ମଂଜୁର ହେବାପରେ ଆଜି ସକାଳେ ଏକ କାର୍‌ ବୁକ୍‌ କରି ରାଜୌରିର ପିର୍‌ ପଞ୍ଜଲ୍‌ ଭ୍ୟାଲି ସ୍ଥିତ ତାଙ୍କ ଘରକୁ ଫେରୁଥିଲେ। ରାସ୍ତାରେ ପୁଲ୍‌ଓ୍ଵାମା ଜିଲ୍ଲାର କାଲାମପୁରା ଅଞ୍ଚଳରେ ତାଙ୍କ ଗାଡ଼ିକୁ ଆତଙ୍କବାଦୀମାନେ ଅଟକାଇ ତାଙ୍କୁ ଅପହରଣ କରିନେଇଥିଲେ। ସନ୍ଧ୍ୟାରେ ଗୁଳିବିଦ୍ଧ ମୃତଦେହ ମିଳିବା ପରେ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଔରଙ୍ଗଜେବ୍‌ ଗତ ଏପ୍ରିଲ ୩୦ ତାରିଖରେ ହିଜବୁଲ୍‌ ମୁଜାହିଦ୍ଦିନ୍‌ କମାଣ୍ଡର ସମୀର ଟାଇଗର ଏବଂ ତା’ର ଅନ୍ୟ ସହଯୋଗୀଙ୍କୁ ନିପାତ ଅପରେସନରେ ସାମିଲ ହୋଇଥିଲେ। ଔରଙ୍ଗଜେବଙ୍କୁ ଅପହରଣ ଓ ହତ୍ୟା ପଛରେ ଆତଙ୍କବାଦୀଙ୍କ ଯୋଜନାବଦ୍ଧ ଉଦ୍ୟମ ରହିଥିଲା ବୋଲି ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ମଧ୍ୟ ପୁଲଓ୍ଵାମାର ନବପୁରାରେ ଅବସ୍ଥାପିତ ଜଣେ ପୁଲିସ କର୍ମୀଙ୍କୁ ତାଙ୍କ ବାସଭବନରୁ ଅପହରଣ କରାଯାଇଛି। ମିଳିତ ସୁରକ୍ଷା ବାହିନୀ ପୁଲଓ୍ଵାମାର ଜିଲ୍ଲାର ୫୦ରୁ ଅଧିକ ସ୍ଥାନରେ ଚଢ଼ଉ ଅଭିଯାନ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର