ଗୁମ୍ଫାରେ ଫସିଥିବା ଥାଇ ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ଲାଗିବ ମାସେ, ସେ ପର୍ଯ୍ୟନ୍ତ ସେମାନଙ୍କୁ ଗୁମ୍ଫା ମଧ୍ୟରେ ଜଗି ରହିବେ ୧୦ ଯବାନ

ବ୍ୟାଙ୍କକ୍‌: ଥାଇଲାଣ୍ଡର ଏକ ବନ୍ୟା ପ୍ଲାବିତ ଗୁମ୍ଫା ମଧ୍ୟରେ ଫସି ଯାଇଥିବା ୧୨ ନାବାଳକ ଫୁଟବଲ ଖେଳାଳି ଓ ତାଙ୍କ କୋଚ୍‌ଙ୍କୁ ଗୁମ୍ଫା ମଧ୍ୟରୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଲାଗିବ। ତେବେ, ସେ ପର୍ଯ୍ୟନ୍ତ ସେମାନଙ୍କ ପାଖେ ପାଖେ ୧୦ ଜଣ ଜବାନ ଗୁମ୍ଫା ମଧ୍ୟରେ ରହିବା ସହ ସେମାନଙ୍କୁ ଜଗିବେ ବୋଲି ଥାଇଲାଣ୍ଡ ସରକାର ଆଜି ଘୋଷଣା କରିଛନ୍ତି।

ନାବାଳକ ଫୁଟବଲ ଖେଳାଳିମାନଙ୍କୁ ଗୁମ୍ଫା ମଧ୍ୟରୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ଥିବା ଜନୈକ ବରିଷ୍ଠ ଅଧିକାରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବନ୍ୟାପ୍ଲାବିତ ଗୁମ୍ଫା ମଧ୍ୟରେ ଫସି ଯାଇଥିବା ୧୨ ଜଣ ନାବାଳକ ଫୁଟବଲ ଖେଳାଳି ଓ ସେମାନଙ୍କର କୋଚ୍‌ ଦୀର୍ଘ ୧୦ ଦିନ ଧରି ଗୁମ୍ଫା ମଧ୍ୟରେ ଅଖିଆ ଅପିଆ ରହିଥିଲେ ମଧ୍ୟ ସୁସ୍ଥ ଅଛନ୍ତି।

ଗୁମ୍ଫା ମଧ୍ୟରେ ସେମାନଙ୍କ ପାଇଁ ବର୍ତ୍ତମାନ ଆଉ କୌଣସି ବିପଦ ନାହିଁ। ସେମାନଙ୍କ ସନ୍ଧାନରେ ଗୁମ୍ଫା ଭିତରକୁ ଯାଇଥିବା ୧୦ ଜଣ ଜବାନ ଏବେ ସେମାନଙ୍କ ନିକଟରେ ପହଞ୍ଚି ସାରିଛନ୍ତି। ଜବାନମାନେ ସାଙ୍ଗରେ ନେଇଥିବା ଏନର୍ଜି ସପ୍ଲିମେଣ୍ଟ ଓ ଭିଟାମିନ୍‌ ଟାବଲେଟ୍‌ ଖାଇ ଏବେ ସମସ୍ତେ ସୁସ୍ଥ ଅଛନ୍ତି। ଗୁମ୍ଫା ମଧ୍ୟରୁ ପ୍ରସ୍ଥାନ ଦ୍ୱାର ସେମାନଙ୍କ ଅବସ୍ଥିତି ଠାରୁ ତିନି କିଲୋମିଟର ଦୂରରେ ଥିବାରୁ ଗୁମ୍ଫା ମଧ୍ୟରୁ ପାଣି କମିବା ପରେ ଯାଇ ସେମାନେ ଗୁମ୍ଫାରୁ ପଦାକୁ ଆସିବେ। ଗୁମ୍ଫା ମଧ୍ୟରେ ପ୍ରବେଶ କରିଥିବା ବନ୍ୟାଜଳ କମିବାକୁ ପ୍ରାୟ ଏକ ମାସ ଲାଗିବ। ତେବେ, ସେ ପର୍ଯ୍ୟନ୍ତ ଏହି ୧୦ ଜଣ ଜବାନ ଗୁମ୍ଫା ମଧ୍ୟରେ ସେମାନଙ୍କ ପାଖେ ପାଖେ ରହିବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଉତ୍ତର ଥାଇଲାଣ୍ଡର ଚିଆଙ୍ଗ୍‌ ରାଇ ପ୍ରଦେଶରେ ଗତ ଜୁନ୍‌ ୨୩ ତାରିଖରେ ଏକ ୧୨ ଜଣିଆ ନାବାଳକ ଫୁଟବଲ ଟିମ୍‌ ସେମାନଙ୍କ କୋଚ୍‌ଙ୍କ ସହ ଲୁଆଙ୍ଗ ନାଙ୍ଗ ଗୁମ୍ଫା ବୁଲିବାକୁ ଯାଇଥିଲେ। ତେବେ, ସେମାନେ ସମସ୍ତେ ଗୁମ୍ଫା ମଧ୍ୟରେ ଥିବାବେଳେ ଅଚାନକ ବନ୍ୟା ଆସି ଗୁମ୍ଫା ମଧ୍ୟରେ ପାଣି ଭର୍ତ୍ତି ହୋଇଯିବାରୁ ସେମାନେ ଫେରି ନପାରି ଗୁମ୍ଫା ମଧ୍ୟରେ ଫସି ଯାଇଥିଲେ। ସେମାନଙ୍କୁ ଗୁମ୍ଫା ମଧ୍ୟରୁ ଉଦ୍ଧାର କରିବା ପାଇଁ ଏକ ବଡ଼ ଧରଣର ଅପରେସନ୍‌ ଆରମ୍ଭ ହୋଇଥିଲା। ଏହି ଅପରେସନ୍‌ରେ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ୍‌, ଚୀନ୍‌ ଓ ଅଷ୍ଟ୍ରେଲିଆର ଉଦ୍ଧାରକାରୀ ଦଳ ସାମିଲ ହୋଇଥିଲେ। ତେବେ, ଦୀର୍ଘ ୯ ଦିନ ପରେ ସେମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଗୁମ୍ଫା ମଧ୍ୟରେ ଠାବ କରାଯାଇଥିଲା। ଏହି ନାବାଳକ ଫୁଟବଲ ଖେଳାଳିମାନଙ୍କର ବୟସ ୧୧ରୁ ୧୬ ବର୍ଷ ମଧ୍ୟରେ ଏବଂ ଏମାନେ ସମସ୍ତେ ଥାଇଲାଣ୍ଡର ଓ୍ଵାଇଲ୍‌ଡ ବୋର୍‌ ଫୁଟବଲ୍‌ ଟିମ୍‌ର ସଦସ୍ୟ।

ସମ୍ବନ୍ଧିତ ଖବର