ନିଟ୍‌ ପ୍ରବେଶିକା ପରୀକ୍ଷାରେ ଶୂନ୍‌ରୁ କମ୍‌ ମାର୍କ ରଖିଥିବା ଛାତ୍ରଛାତ୍ରୀ ପଢ଼ୁଛନ୍ତି ଏମ୍‌ବିବିଏସ୍‌ !

ନୂଆଦିଲ୍ଲୀ: ଅଧିକାଂଶ ଘରୋଇ କଲେଜ୍‌ରେ ୨୦୧୭ରେ ଆଡ୍‌ମିସନ୍‌ କରିଥିବା ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ ନିଟ୍‌ ପ୍ରବେଶିକା ପରୀକ୍ଷାରେ ପଦାର୍ଥ ବିଜ୍ଞାନ, କେମିଷ୍ଟ୍ରି ଏବଂ ଜୀବ ବିଜ୍ଞାନ ଆଦି ଗୋଟିକିଆ ବିଷୟରେ ଏକ ଅଙ୍କବିଶିଷ୍ଟ ମାର୍କ, ଶୂନ୍‌ କିଂବା ତା’ଠାରୁ କମ୍‌ ନମ୍ବର ରଖିଛନ୍ତି। କଟ୍‌-ଅଫ୍‌ ମାର୍କ ନ ଥାଇ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାରେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ଅନ୍ୟୂନ ୪୦୦ ପରୀକ୍ଷାର୍ଥୀ ଏକଅଙ୍କ ବିଶିଷ୍ଟ ମାର୍କ ଏବଂ ୧୧୦ ଜଣ ପରୀକ୍ଷାର୍ଥୀ ଶୂନ୍‌ କିଂବା ତା’ଠାରୁ କମ୍‌ (ନେଗେଟିଭ୍‌) ମାର୍କ ରଖିଛନ୍ତି। ଏଇଠି ପ୍ରଶ୍ନ ଉଦ୍ରେକ ହେଉଛି। ଯଦି ଏସବୁ ବିଷୟରେ ଶୂନ୍‌ ରଖିଲେ ଜଣେ ଆଡ୍‌ମିସନ୍‌ ପାଇଁ ଅଯୋଗ୍ୟ ବିବେଚିତ ହେବେ ନାହିଁ , ତାହେଲେ ଏ ସବୁ ବିଷୟରେ କାହିଁକି ପରୀକ୍ଷା କରାଯାଉଛି?

ସାଧାରଣ ପ୍ରବେଶିକା ପରୀକ୍ଷା ନିମନ୍ତେ କରାଯାଉଥିବା ମୂଳ ବିଜ୍ଞପ୍ତିରେ ସ୍ପଷ୍ଟଭାବେ ଉଲ୍ଲେଖ ଅଛି ଯେ ପ୍ରତି ବିଷୟରେ ପରୀକ୍ଷାର୍ଥୀ ଅନ୍ୟୂନ ୫୦% ନମ୍ବର ରଖିବେ। କିନ୍ତୁ, ପରବର୍ତ୍ତୀ ବିଜ୍ଞପ୍ତିରେ ପର୍ସେଣ୍ଟେଜ୍‌ ସିଷ୍ଟମ୍‌ ଆସିବା ପରେ ପ୍ରତି ବିଷୟରେ ରଖିବାକୁ ଥିବା ସର୍ବନିମ୍ନ ନମ୍ବର ବ୍ୟବସ୍ଥାକୁ ବାଦ ଦିଆଗଲା।

୨୦୧୭ରେ ନିଟ୍‌ ପରୀକ୍ଷାରେ ୭୨୦ରୁ ୧୫୦ ନମ୍ବରରୁ କମ୍‌ ରଖି ଏମ୍‌ବିବିଏସ୍‌ରେ ଆଡ୍‌ମିସନ୍‌ କରିଥିବା ୧୯୯୦ ଜଣ ଛାତ୍ରଙ୍କ ବିଭିନ୍ନ ବିଷୟର ନମ୍ବରକୁ ଅନୁଶୀଳନ କରାଯାଇଥିଲା। ସେଥିରୁ ୫୩୦ ଜଣ ଏକ ଅଙ୍କବିଶିଷ୍ଟ ମାର୍କ ରଖିଥିଲେ। ସେମାନେ ପଦାର୍ଥ ବିଜ୍ଞାନ ଅଥବା ରସାୟନ ବିଜ୍ଞାନରେ କିଂବା ଉଭୟରେ ଶୂନ୍‌ କିଂବା ତା’ଠାରୁ କମ୍‌ ନମ୍ବର ରଖିଥିଲେ।

ହାରାହାରି ୧୫୦ ନମ୍ବର ରଖି ଏମ୍‌ବିବିଏସ୍‌ କୋର୍ସରେ ଆଡ୍‌ମିସନ୍‌ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏମିତି ଅନେକ ଅଛନ୍ତି। ଏଇ ୫୩୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୦୭ ଜଣ ହେଉଛନ୍ତି ଘରୋଇ ମେଡିକାଲ୍‌ କଲେଜର। ହଷ୍ଟେଲ୍‌, ମେସ୍‌, ଲାଇବ୍ରେରି ଏବଂ ଅନ୍ୟାନ୍ୟ ଦେୟ ବାଦ ଘରୋଇ ମେଡିକାଲ୍‌ କଲେଜ୍‌ରେ ଛାତ୍ରଛାତ୍ରୀମାନେ ବାର୍ଷିକ ଟ୍ୟୁସନ୍‌ ଫି’ ବାବଦରେ ହାରାହାରି ୧୭ ଲକ୍ଷ ଟଙ୍କା ଦେଉଛନ୍ତି। ଏଥିରୁ ଜଣାପଡୁଛି କେମିତି ଧନିକ ଘରର ପିଲାମାନେ ନିଟ୍‌ ପରୀକ୍ଷାରେ ଲଜ୍ଜାଜନକ ମାର୍କ ରଖି ମଧ୍ୟ ଏମ୍‌ବିବିଏସ୍‌ ସିଟ୍‌ ଖରିଦ କରି ପାରୁଛନ୍ତି।

ଏଥିରୁ ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ହେଉଛନ୍ତି ଡିମ୍‌ଡ୍‌ ୟୁନିଭର୍ସିଟିଜ୍‌ର। ଫାଇନାଲ୍‌ ଏମ୍‌ବିବିଏସ୍‌ ପରୀକ୍ଷା ପରିଚାଳନା କରିବାକୁ ଡିମ୍‌ଡ୍‌ ୟୁନିଭର୍ସିଟିଜ୍‌ଗୁଡ଼ିକୁ ଅନୁମତି ମିଳିଥାଏ। ପରୀକ୍ଷାରେ ପାସ୍‌ କରିଯିବା ପରେ ଛାତ୍ରଛାତ୍ରୀମାନେ ପଞ୍ଜିକୃତ ହେବାକୁ ଅନୁମତି ପାଇ ଡାକ୍ତର ଭାବେ ରୋଗୀ ଚିକିତ୍ସା ଆରମ୍ଭ କରନ୍ତି।

ସମ୍ବନ୍ଧିତ ଖବର