ଲୋକତନ୍ତ୍ରର ପୂଜାରୀ ସୋମନାଥ

0 86

ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ ଲୋକତନ୍ତ୍ରର ପୂଜାରୀ ଥିଲେ। ସଂସଦରେ ହେଉ କିମ୍ବା ବାହାରେ ସଦାସର୍ବଦା ସେ ଲୋକତନ୍ତ୍ର କଥା କହିବା ସହିତ ଏହା ସପକ୍ଷରେ ଅନେକ ଯୁକ୍ତି ଦର୍ଶାଉଥିଲେ। ଲୋକତନ୍ତ୍ର ଦ୍ୱାରା ଦେଶର ଓ ଜନତାଙ୍କର କିଭଳି ଲାଭ ହେବ, ତାହା ସଂପର୍କରେ ସବୁଠି ସାରଗର୍ଭକ ସମ୍ଭାଷଣ ଦେଉଥିଲେ। ଏମିତି କି ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାର କିଛିଦିନ ପୂର୍ବରୁ ମଧ୍ୟ ଲୋକତନ୍ତ୍ର ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ବାର୍ତା ଦେଇଥିଲେ। ସେ ନିଜର ଅନ୍ତିମ ବୟାନରେ ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନରେ ହୋଇଥିବା ଅନିୟମିତତାକୁ ନେଇ ଚିନ୍ତାପ୍ରକଟ କରି କହିଥିଲେ, ଲୋକତନ୍ତ୍ର ପାଇଁ ଏହା ଆଦୌ ଗ୍ରହଣୀୟ ନୁହେଁ। ରାଜ୍ୟ ବର୍ତମାନ ଏଭଳି ସ୍ଥିତିରେ ପହଞ୍ଚିଛି, ଯେଉଁଠି ସମ୍ବିଧାନର ଧାରା ୩୫୬କୁ ଲାଗୁ ନିମନ୍ତେ ଦାବି କରାଯାଇ ପାରିବ। ଯେଉଁଠି ରାଜ୍ୟବାସୀଙ୍କୁ ସେମାନଙ୍କର ନ୍ୟୂନତମ ଅଧିକାରରୁ ବଞ୍ଚିତ କରାଯାଉଛି, ସେଠାରେ ଲୋକତନ୍ତ୍ରର କିଛି ଅର୍ଥ ରହିନାହିଁ। ଏହା କେବଳ ଦୁଃଖଦାୟକ ନୁହେଁ, ବରଂ ବର୍ତମାନ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ସେ କହିଥିଲେ।
ବ୍ୟକ୍ତିଗତ ଜୀବନ
ସୋମନାଥ ୧୯୨୯ ଜୁଲାଇ ୨୫ରେ ଆସାମର ତେଜପୁରରେ ଜନ୍ମଲାଭ କରିଥିଲେ। ତାଙ୍କ ପିତା ବଂଗାଳୀ ବ୍ରାହ୍ମଣ ଏନ୍‌ ସି ଚାଟାର୍ଜୀ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ଥିଲେ। ତାଙ୍କ ମାଆଙ୍କ ନାମ ବୀଣାପାଣି ଦେବୀ। ସୋମନାଥଙ୍କ ପତ୍ନୀଙ୍କ ନାମ ରେଣୁ ଚାଟାର୍ଜୀ ହୋଇଥିବା ବେଳେ ପୁଅଙ୍କ ନାମ ପ୍ରତାପ ଏବଂ ଦୁଇଝିଅଙ୍କ ନାମ ଅନୁରାଧା ଓ ଅନୁଶୀଳା। ସୋମନାଥ କୋଲ୍‌କାତା ଓ ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ବ୍ରିଟେନ୍‌ରେ ଆଇନରେ ଅଧ୍ୟୟନ କରି କୋଲ୍‌କାତା ହାଇକୋର୍ଟରେ ଓକିଲାତି କରିଥିଲେ। ୧୯୬୮ରେ ସିପିଆଇଏମ୍‌ର ସସଦ୍ୟ ହେଲେ। ୧୯୭୧ରେ ଲୋକସଭା ନିର୍ବାଚନ ଜିତିଲେ। ୨୦୦୪ରେ ୧୪ତମ ଲୋକସଭାରେ ଦଶମ ଥର ନିର୍ବାଚିତ ହେଲେ। ୨୦୦୪ ଜୁନ୍‌ ୪ରେ ସେ ଲୋକସଭାର ବାଚସ୍ପତି ନିର୍ବାଚିତ ହୋଇଥିଲେ। ତତ୍‌କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକସଭା ବାଚସ୍ପତି ପାଇଁ ତାଙ୍କ ନାମ ସୁପାରିସ କରିଥିଲେ।
ବିବାଦ
୨୦୦୮ରେ ଆମେରିକା ସହ ଭାରତର ପରମାଣୁ ଚୁକ୍ତି ସମୟରେ ୟୁପିଏ-୧ ସରକାରରୁ ସିପିଆଇଏମ୍‌ ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ଏହି ଦିନ ସରକାରଙ୍କ ସତ୍ତା ପାଇଁ ଭୋଟିଂର ସାହାଯ୍ୟ ନେବାକୁ ପଡ଼ିଥିଲା। ତେବେ ସିପିଆଇଏମ୍‌ ସରକାରଙ୍କ ବିପକ୍ଷରେ ଭୋଟ୍‌ ଦେଇଥିଲା ବେଳେ ସୋମନାଥ କିନ୍ତୁ ସମର୍ଥନ କରିଥିଲେ। ଏହାକୁ ଦଳ ସହଜେ ହଜମ କରିପାରିନଥିଲା। ଫଳରେ ସୋମନାଥ ଦଳର ଆକ୍ରୋଶର ଶିକାର ହୋଇଥିଲେ। ତାଙ୍କୁ ଦଳ ବହିଷ୍କାର କରିଥିଲା। ଏହା ପୂର୍ବରୁ ୨୦୦୫ରେ ଝାଡ଼ଖଣ୍ଡ ବିଧାନସଭାର ଆସ୍ଥା ଭୋଟ୍‌ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟକୁ ସେ ସମାଲୋଚନା କରିଥିଲେ। ଏହି ମାମଲାରେ କୋର୍ଟ ନିଜ ଅଧିକାରର ଉଲ୍ଲଂଘନ କରିଥିବା ସେ ଦର୍ଶାଇଥିଲେ। ଏହାପରେ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏମିତି କି କିଛି ଦଳ ତାଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ତାଙ୍କ ବିରୋଧରେ ଲାଭଜନକ ପଦବି ଅଭିଯୋଗ ମଧ୍ୟ ଅଣାଯାଇଥିଲା। ଲୋକସଭା ବାଚସ୍ପତି ହେବା ସହିତ ସୋମନାଥ ଶାନ୍ତିନିକେତନ ଶ୍ରୀନିକେତନ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ରହିଥିଲେ। ଏଥିରୁ ମଧ୍ୟ ତାଙ୍କ ଇସ୍ତଫା ଦାବି କରାଯାଇଥିଲା। କିନ୍ତୁ ତାଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା।
ରାଷ୍ଟ୍ରପତି ହେବାକୁ ଚାହୁଥିଲେ
ସୋମନାଥ ଚାଟାର୍ଜୀ ଦେଶର ରାଷ୍ଟ୍ରପତି ହେବାକୁ ଚାହୁଥିଲେ। ସିପିଆଇଏମ୍‌ର ବରିଷ୍ଠ ନେତା ଥିଲେ ହେଁ ପରବର୍ତ୍ତୀ ସମୟରେ ସେ ଅନେକ ଦଳର ପ୍ରିୟଭାଜନ ହୋଇପାରିଥିଲେ। କିନ୍ତୁ ସିପିଆଇଏମ୍‌ର ତତ୍‌କାଳୀନ ମହାସଚିବ ପ୍ରକାଶ କରାତ୍‌ ଏ କ୍ଷେତ୍ରରେ ବାଧା ସୃଷ୍ଟି କରିଥିଲେ ବୋଲି ସେ ନିଜେ ସ୍ୱୀକାର କରିଛନ୍ତି। ଗତବର୍ଷ ନିଜ ଜନ୍ମଦିନ ପାଳନ ବେଳେ ସୋମନାଥ ମନକଥା କହିଥିଲେ। ପ୍ରକାଶ କରାତ୍‌ଙ୍କ ଯୋଗୁ ସେ ରାଷ୍ଟ୍ରପତି ହେବାରୁ ବଂଚିତ ହେଲେ। ଏମିତି କି ତାଙ୍କ ଯୋଗୁ ସିପିଆଇଏମ୍‌ର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ମଧ୍ୟ ପ୍ରଧାନମନ୍ତ୍ରୀ ହୋଇପାରି ନଥିଲେ।
୨୦୦୭ ରାଷ୍ଟ୍ରପତି ନିର୍ବାଚନ କଥା ଉଠାଇ ସୋମନାଥ କହିଥିଲେ, ଜେଡି(ୟୁ) ନେତା ଶରଦ ଯାଦବ ତାଙ୍କୁ ଥରେ ଭେଟିଥିଲେ। ଦେଶର ରାଷ୍ଟ୍ରପତି ସୋମନାଥ ହୁଅନ୍ତୁ ବୋଲି ସେ କହିଥିଲେ। ସେତେବେଳେ କଂଗ୍ରେସ, ଜେଡିୟୁ ବ୍ୟତୀତ ବିଜେଡି, ଶିରୋମଣି ଅକାଳି ଦଳ ଏବଂ ଡିଏମ୍‌କେ ତାଙ୍କୁ ସମର୍ଥନ ଦେବାକୁ ପ୍ରସ୍ତୁତ ଥିବା ସୋମନାଥ ଦର୍ଶାଇଥିଲେ। ତେବେ ସେ ସିପିଆଇଏମ୍‌ ସୁପ୍ରିମୋ ପ୍ରକାଶ କରାତ୍‌ଙ୍କ ସହିତ କଥା ହୋଇ ଜଣାଇବେ ବୋଲି ଶରଦଙ୍କୁ କହିଥିଲେ। କିନ୍ତୁ ପ୍ରକାଶ ସହମତି ପ୍ରଦାନ କରିନଥିଲେ। ତାଙ୍କ ଯୋଗୁ ସେ ରାଷ୍ଟ୍ରପତି ହେବାରୁ ବଂଚିତ ହେଲେ ବୋଲି ସୋମନାଥ ଗତବର୍ଷ କହିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.