ମୀର୍ଜାପୁର ଗସ୍ତ ବେଳେ ପ୍ରିୟଙ୍କାଙ୍କୁ ଅଟକାଇ ଡାକବଙ୍ଗଳାରେ ରଖିଲା ଉତ୍ତର ପ୍ରଦେଶ ପୁଲିସ
ମୀର୍ଜାପୁର: ଉତ୍ତର ପ୍ରଦେଶ ସୋନଭଦ୍ରା ଜିଲ୍ଲା ଗୁଳିକାଣ୍ଡ ଘଟଣାରେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଯାଉଥିବା ବେଳେ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୁଲିସ ଅଟକ ରଖିଥିବା ଜଣାଯାଇଛି। ସେଠାରେ ୧୪୪ ଧାରା ଜାରି ହୋଇଥିବା ଦର୍ଶାଇ ପୁଲିସ ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରିୟଙ୍କା ରାସ୍ତାରେ ଧାରଣାରେ ବସିଥିଲେ । ସେ କହିଥିଲେ ଯେ ସେ ପୀଡ଼ିତଙ୍କ ପରିବାରକୁ ଭେଟିବାକୁ ଚାହୁଁଛନ୍ତି ଏବଂ ତାଙ୍କ ସହିତ ମାତ୍ର ୪ ଜଣ ବ୍ୟକ୍ତି ଯିବେ । କିନ୍ତୁ ତଥାପି ପ୍ରଶାସନ ତାଙ୍କୁ ଅନୁମତି ପ୍ରଦାନ କରି ନ ଥିବାର ସେ ଅଭିଯୋଗ କରିଛନ୍ତି । ତାଙ୍କୁ ମିର୍ଜାପୁର ଜିଲ୍ଲା ନାରାୟଣପୁରରେ ପୁଲିସ ଅଟକାଇବାପରେ ଚୁନାର ଦୁର୍ଗସ୍ଥିତ ଡାକବଙ୍ଗଳାରେ ରଖିଥିବା ବି ଜଣାଯାଇଛି।
ଏହି ହାଇ ପ୍ରୋଫାଇଲ ଘଟଣାପରେ ସେଠାରେ ଜିଲ୍ଲାପାଳ ଏବଂ ଏସପି ପହଞ୍ଚି ପ୍ରିୟଙ୍କା ଗାନ୍ଧୀଙ୍କୁ ବୁଝାଇଥିବା ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶ ସୋନଭଦ୍ରା ଜିଲ୍ଲା ଗୁଳିକାଣ୍ଡ ଘଟଣାରେ ଏଯାବତ୍ ୧୦ଜଣଙ୍କର ପ୍ରାଣ ହାନି ଘଟିଥିବା ବେଳେ ୨୮ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।