୨୦ ମାସ ପରେ ଫେରିଲେ ସୋନିଆ : କଂଗ୍ରେସର ଅନ୍ତରୀଣ ସଭାନେତ୍ରୀ ନିଯୁକ୍ତ

ନୂଆଦିଲ୍ଲୀ : ସୋନିଆ ଗାନ୍ଧୀ ପୁଣି ଥରେ କଂଗ୍ରେସର ସଭା‌େନତ୍ରୀ ହୋଇଛନ୍ତି। ଦଳର ନୂତନ ସଭାପତି ଚୟନ ହେବା ପର୍ଯ୍ୟନ୍ତ ସୋନିଆ ଏହି ପଦବିରେ ରହିବେ। ଦଳର ସର୍ବୋଚ୍ଚ ନୀତି ନିର୍ଧାରଣ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀର ଦିନସାରା ବୈଠକ ପରେ ଆଜି ରାତିରେ ଏହି ଘୋଷଣା କରାଯାଇଛି। ୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ଦଳର ସଭାପତି ରହିଥିବା ସୋନିଆ ୨୦ ମାସ ପୂର୍ବେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

ରାହୁଲ ଗାନ୍ଧୀଙ୍କ ସ୍ଥାନରେ ନୂତନ ସଭାପତି ଚୟନ ପାଇଁ ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ମାରାଥନ୍‌ ବୈଠକ ଦଳ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ସବୁ ନେତା ରାହୁଲ ଗାନ୍ଧୀଙ୍କୁ ହିଁ ସଭାପତି ଭାବେ ପୁନଃ ଅବସ୍ଥାପିତ କରିବାକୁ ମତ ରଖିବାରୁ ଏହାକୁ ନେଇ ସସ୍‌ପେନ୍ସ ବଢ଼ି ଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଦୁଇ ମାସ ତଳେ ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ ଏବଂ ଗାନ୍ଧୀ ପରିବାର ବାହାରୁ ନୂତନ ସଭାପତି ବାଛିବାକୁ କହିଥିଲେ।

ଆଜି ସିଡବ୍ଲୁସିର ବୈଠକ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ବୈଠକକୁ ବିଭିନ୍ନ ରାଜ୍ୟ ଆଧାରରେ ୫ଟି ଗ୍ରୁପ୍‌ରେ ବାଣ୍ଟି ଦିଆଯାଇଥିଲା। ଏଥିପାଇଁ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏବଂ ଉତ୍ତର ପୂର୍ବ ରାଜ୍ୟର ନେତାମାନଙ୍କୁ ୫ଟି ସବ୍‌ କମିଟିରେ ବିଭକ୍ତ କରି ସେମାନଙ୍କ ମତାମତ ଲୋଡ଼ା ଯାଇଥିଲା। ସବୁ ସବ୍‌ କମିଟିର ମତାମତକୁ ସମୀକ୍ଷା କରାଯିବା ପରେ ନୂତନ ସଭାପତିଙ୍କ ନାମରେ ମୋହର ଲାଗିବ ବୋଲି କୁହାଯାଇଥିଲା। କିନ୍ତୁ ସମସ୍ତ କମିଟିର ମତାମତ ରାହୁଲଙ୍କୁ ହିଁ ସଭାପତି କରାଯିବା ସପକ୍ଷରେ ରହିଥିବାରୁ ନୂତନ ସଭାପତିଙ୍କ ନାମ ଘୋଷଣା ହୋଇପାରିନଥିଲା। ଗାନ୍ଧୀ ପରିବାର ବାହାରୁ କାହାକୁ ସଭାପତି କଲେ ଦଳରେ ବିଭାଜନ ସ୍ଥିତି ଆସିଯିବ ବୋଲି ମଧ୍ୟ ପୂର୍ବରୁ ବହୁ ନେତା ଆଶଙ୍କା ବ୍ୟକ୍ତି କରିଥିଲେ। ଏଭଳି ସ୍ଥିତିରେ ରାହୁଲ ଏବଂ ସୋନିଆ ଯାହାଙ୍କୁ ବାଛିବେ ସେ ହିଁ ସଭାପତି ହେବେ ବୋଲି କୁହାଯାଇଥିଲା। ଏହାପରେ ସୋନିଆଙ୍କୁ ପରବର୍ତ୍ତୀ ସଭାପତି ଚୟନ ପର୍ଯ୍ୟନ୍ତ ଅନ୍ତରୀଣ ସଭାପତି ଭାବେ ଘୋଷଣା କରାଯାଇଥିଲା
ସଭାପତି ଚୟନ ପାଇଁ ଆଜି ପୂର୍ବାହ୍ନ ୧୧ଟାରେ ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରାତି ସାଢ଼େ ୮ଟାରେ ଦ୍ବିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅହମଦ ପଟେଲ, ପି. ଚିଦମ୍ବରମ, ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରିୟଙ୍କା ଗାନ୍ଧୀ, ସଚିନ ପାଇଲଟ, ଜିତିନ ପ୍ରସାଦ ପ୍ରମୁଖ ସାମିଲ ହୋଇଥିଲେ। ତେବେ ବୈଠକ ଚାଲିଥିବା ବେଳେ ନୂତନ ସଭାପତି ଚୟନ ପ୍ରକ୍ରିୟାରୁ ଦୂରରେ ରହିବା ପାଇଁ ରାହୁଲ ଏବଂ ସୋନିଆ ବୈଠକ ଛାଡ଼ି ବାହାରକୁ ଚାଲି ଯାଇଥିଲେ।

ବୈଠକରେ ଉପସ୍ଥିତ କେତେକ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ପରବର୍ତ୍ତୀ ସଭାପତି ଚୟନ କରିବା ପାଇଁ ଦାବି କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଗାନ୍ଧୀ ପରିବାରର କାହାକୁ ଚୟନ ନ କରିବା ପାଇଁ ରାହୁଲ ସ୍ପଷ୍ଟ କରିଦେଇଥିବାରୁ ଏହାକୁ ବରିଷ୍ଠ ନେତାମାନଙ୍କ ସମର୍ଥନ ମିଳିନଥିଲା। ସଭାପତି ପଦ ପାଇଁ ମହାରାଷ୍ଟ୍ର କଂଗ୍ରେସ ନେତା ମୁକୁଲ ୱାସନିକ, ସୁଶୀଲ କୁମାର ସିନ୍ଧେ, ଅଶୋକ ଗେହଲଟ, ମଲ୍ଲିକାର୍ଜୁନ ଖଡ଼୍‌ଗେଙ୍କ ସମେତ ଅନ୍ୟ କେତେକ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। କଂଗ୍ରେସର ଇତିହାସରେ ଅଧିକାଂଶ ସମୟ ଗାନ୍ଧୀ-ନେହରୁ ପରିବାରର ସଦସ୍ୟମାନେ ହିଁ ସଭାପତି ପଦରେ ରହି ଆସୁଥିବାରୁ ଦଳ ପାଇଁ ପରିବାର ବାହାରକୁ ସଭାପତି ଚୟନ କଷ୍ଟକର ହୋଇପଡ଼ିଥିଲା। ଶେଷରେ ସୋନିଆଙ୍କୁ ଅନ୍ତରୀଣ ସଭାପତି କରାଯିବାକୁ ସମସ୍ତେ ପ୍ରସ୍ତାବ ଦେଇଥିଲେ ଏବଂ ଏହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।

ସମ୍ବନ୍ଧିତ ଖବର