ପ୍ରଣବ ରାଷ୍ଟ୍ରପତି ହେବା ସୋନିଆ ଚାହୁନଥିଲେ!

ନାଁ ସ୍ଥିର ପରେ ବି ବିକଳ୍ପ ଖୋଜୁଥିଲେ

ନୂଆଦିଲ୍ଲୀ: ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ହେବା ସପକ୍ଷରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନଥିଲେ। ଏପରିକି ଦେଶର ଏହି ସର୍ବୋଚ୍ଚ ପଦ ପାଇଁ କଂଗ୍ରେସ ପକ୍ଷରୁ ପ୍ରଣବଙ୍କ ନାମ ସ୍ଥିର ହେବା ପରେ ମଧ୍ୟ ତତ୍କାଳୀନ ଉପରାଷ୍ଟ୍ରପତି ହମିଦ୍‌ ଅନ୍‌ଶାରୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ ଚାଲିଥିଲା ବୋଲି ପ୍ରଣବଙ୍କୁ ସୂଚନା ମିଳିଥିଲା। ଯଦିଓ ଏଥିପାଇଁ ପ୍ରଣବ ଯୋଗ୍ୟତମ ପ୍ରାର୍ଥୀ ବୋଲି ସୋନିଆ ଦଳୀୟ ନେତୃବୃନ୍ଦଙ୍କ ଆଗରେ ପ୍ରକାଶ କରିଥିଲେ, ତେବେ ପ୍ରଣବ ତାଙ୍କର ପସନ୍ଦ ନଥିଲେ ବୋଲି ତାଙ୍କ ହାବଭାବରୁ ପ୍ରଣବ ଅନୁଭବ କରିଥିଲେ। ଏ କଥା ନିଜେ ପ୍ରାକ୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ଆତ୍ମଜୀବନୀ ପୁସ୍ତକ ‘ଦି କୋଲିସନ୍‌ ଇଅର୍ସ’ରେ ପ୍ରକାଶ କରିଛନ୍ତି।
ପୁରୁଣା କଥାକୁ ମନେ ପକାଇ ତାଙ୍କ ଆତ୍ମଜୀବନୀରେ ପ୍ରଣବ ଲେଖିଛନ୍ତି ଯେ ୨୦୦୭ ଏବଂ ୨୦୧୨ ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଣବଙ୍କ ନାମ ଉଠିଲା ବେଳେ ତାଙ୍କ ଭଳି ସୁଦକ୍ଷ ନେତାଙ୍କୁ କଂଗ୍ରେସ ହାତଛଡ଼ା କରିବାକୁ ଚାହେନାହିଁ ବୋଲି ସୋନିଆ କୁଆଡ଼େ କହିଥିଲେ। କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରର ପରିଚାଳନା ଏବଂ ସଂସଦରେ ପ୍ରଣବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା ବୋଲି ସେନିଆ କହିବା ସହ ପରୋକ୍ଷରେ ଏହି ନିର୍ଦଳୀୟ ପଦବି ରାଷ୍ଟ୍ରପତି ଆସନରେ ପ୍ରଣବଙ୍କୁ ବସାଇବା ପାଇଁ ନାପସନ୍ଦ କରୁଥିଲେ ବୋଲି ପ୍ରଣବ ଅନୁଭବ କରିଥିବା ଲେଖିଛନ୍ତି।
୨୦୧୨ ମେ ୨୯ ତାରିଖରେ କଂଗ୍ରେସ ଅଧ୍ୟକ୍ଷାଙ୍କ ରାଜନୈତିକ ସଚିବ ଅହମଦ ପଟେଲ ପ୍ରଣବଙ୍କୁ କହିଥିଲେ ଯେ ଦଳ ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାମ ସୋନିଆ ସୁପାରିସ କରିପାରନ୍ତି। ତେବେ ଉପରାଷ୍ଟ୍ରପତି ଅନ୍‌ଶାରିଙ୍କୁ ମଧ୍ୟ ପ୍ରାର୍ଥୀ କରିବା ପାଇଁ ଆବଶ୍ୟକ ସମ୍ଭାବ୍ୟ ସମର୍ଥନ ମିଳିବା କଥା ସୋନିଆ ବିଚାର କରୁଛନ୍ତି। ଏହାର ତିନି ଦିନ ପରେ ଜୁନ୍‌ ୨ରେ ପ୍ରଣବ ସୋନିଆଙ୍କୁ ଭେଟିବା ବେଳେ ସେ ପ୍ରଣବଙ୍କ ଦକ୍ଷତା ନେଇ ଭୂୟସୀ ପ୍ରଶଂସା କରିଥିଲେ।

ଏଥି ସହିତ ରାଷ୍ଟ୍ରପତି ପଦ ପାଇଁ ଅନ୍ୟ କୌଣସି ବିକଳ୍ପ ନାମ ବାଛିବାକୁ ସୋନିଆ ମଧ୍ୟ ପ୍ରସ୍ତାବ ଦେଇଥିଲେ। ତେବେ ସେ ଯାହା ନିଷ୍ପତ୍ତି ନେବେ ସେଥିରେ ପ୍ରଣବ ରାଜି ବୋଲି କହିଥିଲେ। ଅବଶ୍ୟ ପରେ ଜୁନ୍‌ ୨୫ରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ପ୍ରଣବଙ୍କ ପ୍ରାର୍ଥିତ୍ୱକୁ ସବୁଜ ସଂକେତ ମିଳିଥିଲା। ପ୍ରଣବଙ୍କୁ ଦଳୀୟ ବିଦାୟ ଦେବା ଅବସରରେ ସୋନିଆ ତାଙ୍କୁ ବାହାବା କରିବା ସହ କୁଟିଳ ଚାହାଣିରେ ‘ତାଙ୍କର କିଛି କ୍ଷଣକୋପକୁ ହରାଇବାକୁ ପଡ଼ିବ’ ବୋଲି କହିବା ଘଟଣା ପ୍ରଣବ ଭୁଲିନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର