ନିଲମ୍ବିତ ଯବାନଙ୍କ ପୁଅଙ୍କ ଶବ ଉଦ୍ଧାର

ନୂଆଦିଲ୍ଲୀ : ସେନାବାହିନୀରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ୍‌ କରିଥିବା ନିଲମ୍ବିତ ବିଏସଏଫ୍‌ ଯବାନ ତେଜ ବାହାଦୁର ଯାଦବଙ୍କ ପୁଅଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ହରିୟାଣାର ରେୱାରି ସ୍ଥିତ ତାଙ୍କ ବାସଭବନରୁ ଆଜି ପୁଲିସ ଶବ ଉଦ୍ଧାର କରି ତଦନ୍ତ ଚଳାଇଛି। ୨୨ ବର୍ଷୀୟ ରୋହିତଙ୍କ ହାତରେ ଏକ ପିସ୍ତଲ ଥିବାରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ହରିୟାଣା ପୁଲିସ ଏବେ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି। ରୋହିତଙ୍କ ହାତରେ ଥିବା ପିସ୍ତଲ ତାଙ୍କ ପିତା ତେଜ ବାହାଦୁରଙ୍କର ବୋଲି ଜଣାପଡ଼ିଛି। ତେଜ ବାହାଦୁର ଏବେ କୁମ୍ଭମେଳା ପାଇଁ ପ୍ରୟାଗରାଜରେ ଥିବାବେଳେ ପୁଅ ଏଭଳି ଚରମ ପ‌ଦକ୍ଷେପ ନେଇଛି। ତେବେ ରୋହିତ ମାନସିକ ଦୃଷ୍ଟିରୁ ସଂପୂର୍ଣ୍ଣ ଠିକ୍‌ଠାକ ଥିଲେ ଏବଂ ଆତ୍ମହତ୍ୟାର କୌଣସି କାରଣ ନଥିଲା ବୋଲି ପରିବା ସଦସ୍ୟ କହିଛନ୍ତି। ଉଲ୍ଲଖଯୋଗ୍ୟ ଜମ୍ମୁ କଶ୍ମୀରରେ ସୈନିକମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ କରି ତେଜ ବାହାଦୁର ଯାଦବ ଏକ ଭିଡିଓ ପୋଷ୍ଟ୍‌ କରି ଚର୍ଚ୍ଚାରେ ରହିଥିଲେ। ଏହ‌ାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।

ସମ୍ବନ୍ଧିତ ଖବର