ଦୁର୍ଘଟନା ଏଡ଼ାଇବାକୁ ଖୁବ୍‌ ଶୀଘ୍ର ସବୁ ଗାଡ଼ିରେ ଲାଗିବ ସ୍ୱୟଂକ୍ରିୟ ବ୍ରେକ୍‌

ନୂଆଦିଲ୍ଲୀ: ୨୦୨୨ ମସିହା ବେଳକୁ ସବୁ ନୂଆ କାର୍‌ ଏବଂ ବସ୍‌ ଓ ଟ୍ରକ୍‌ ଆଦି ଭାରୀ ଯାନଗୁଡ଼ିକରେ ଏମିତିକା ଯନ୍ତ୍ରଟିଏ ଲାଗିବ ଯାହା ରାସ୍ତାରେ ହଠାତ୍‌ କୌଣସି ଜିନିଷ ଚିହ୍ନଟ କଲେ ଦୁର୍ଘଟଣା ଏଡ଼ାଇବା ପାଇଁ ଆପଣାଛାଏଁ ବ୍ରେକ୍‌ କଷିବ। ଗୁରୁବାର ଦିନ ପରିବହନ ମନ୍ତ୍ରୀ ନୀତିନ ଗଡ଼ଗରି ଘୋଷଣା କରିଛନ୍ତି, ‘ଆଡ୍‌ଭାନ୍‌ସ୍‌ ଡ୍ରାଇଭର୍‌ ଆସିଷ୍ଟାନ୍‌ସ୍‌ ସିଷ୍ଟମ୍‌’ (ଏଡିଏଏସ୍‌) ବୈଶିଷ୍ଟ୍ୟକୁ ସରକାର ବାଧ୍ୟତାମୂଳକ କରିବେ।

‘ଏଡିଏଏସ୍‌’ ସିଷ୍ଟମ୍‌ରେ ଇଲେକ୍ଟ୍ରୋନିକ୍‌ ଷ୍ଟାବିଲିଟି କଣ୍ଟ୍ରୋଲ୍‌, ଅଟୋନମସ୍‌ ଏମର୍‌ଜେନ୍‌ସି ବ୍ରେକିଙ୍ଗ୍‌ ସିଷ୍ଟମ୍‌, ଆଣ୍ଟି-ଲକ୍‌ ବ୍ରେକ୍ସ୍‍, ଲେନ୍‌ ଡିପାର୍ଚର୍‌ ଓ୍ଵାର୍ଣ୍ଣିଂ ଏବଂ କ୍ରୁଜ୍‌ କଣ୍ଟ୍ରୋଲ୍‌ ଆଦି ବୈଶିଷ୍ଟ୍ୟ ରହିଛି। ସଡ଼କ ପରିବହନ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ଯେ ଏମର୍‌ଜେନ୍‌ସି ବ୍ରେକିଙ୍ଗ୍‌ ସିଷ୍ଟମ୍‌ ସକ୍ରିୟ ହେବକୁ ଗାଡ଼ିର ବେଗ କେତେ ରହିବା ଆବଶ୍ୟକ ସେ ବିଷୟରେ ସରକାର ଖୁବ୍‌ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବେ। ଫଳରେ ଗାଡ଼ି ନିର୍ମାତାମାନେ ସେମାନଙ୍କୁ ଉତ୍ପାଦନ ପାଇଁ ଯୋଜନା କରିବାକୁ ଯଥେଷ୍ଟ ସମୟ ପାଇବେ।

ପରିବହନ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି: ଆମେ ଶିଳ୍ପ ସମେତ ବ୍ୟବସାୟୀମାନଙ୍କ ସହ ଗୋଟିଏ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ କରାଇ ସାରିଛୁ। ୨୦୨୧ ସୁଦ୍ଧା କେତେକ ପାଶ୍ଚାତ୍ୟ ଦେଶରେ ଏ ବୈଶିଷ୍ଟ୍ୟ ବାଧ୍ୟତାମୂଳକ ହେବାର ସମ୍ଭାବନା ରହିଛି। ତେଣୁ, ଆମେ ମଧ୍ୟ ଆମ ଯୋଜନାର ଅଗ୍ରଗତି କରୁଛୁ।

ସମ୍ବନ୍ଧିତ ଖବର