ସୋପୋର୍‌ରେ ଆଇଇଡି ବିସ୍ଫୋରଣ: ୪ ପୁଲିସ୍‌ କର୍ମଚାରୀ ସହିଦ, ଜେଇଏମ୍‌ ନିଜକୁ ଦାୟୀ କଲା

ସୋପୋର୍‌(ଜମ୍ମୁ କଶ୍ମୀର): ଶନିବାର ସକାଳେ ଜମ୍ମୁ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର ଠାରେ ଆତଙ୍କବାଦୀମାନେ ଏକ ଆଇଇଡି(ବୋମା) ବିସ୍ଫୋରଣ କରିଛନ୍ତି। ସୋପୋରର ମୁଖ୍ୟ ବଜାରରେ ସକାଳ ପାଟ୍ରୋଲିଂ କରୁଥିବା ୪ଜଣ ପୁଲିସ କର୍ମଚାରୀ ଏହି ବିସ୍ଫୋରଣରେ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୁରକ୍ଷା କର୍ମୀମାନେ ତୁରନ୍ତ ସମଗ୍ର ଇଲାକାକୁ ଘେରାବନ୍ଦୀ କରି ଖାନତଲାସ ଜାରି ରଖିଛନ୍ତି। ଅପରପକ୍ଷେ, ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି।

ସୂଚନାନୁଯାୟୀ, ଉତ୍ତର କଶ୍ମୀରର ଏହି ସୋପୋର ସହରରେ ୧୯୯୩ ମସିହାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୫୭ ଜଣ ନାଗରିକଙ୍କ ମୃତ୍ୟୁ ଘଟଣାରେ ବିଚ୍ଛିନ୍ନତାବାଦୀମାନେ ଶନିବାର ବନ୍ଦ ଡାକରା ଦେଇଥିଲେ। ତେଣୁ ସେଠାରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ବ୍ୟାପକ ସୁରକ୍ଷା କର୍ମୀ ନିୟୋଜିତ ରହିଥ୍‌ିଲେ। ଏଥି ସହିତ ପୁଲିସ ପକ୍ଷରୁ ମଧ୍ୟ ସହର ସାରା ବିଭିନ୍ନି ଗଳିକନ୍ଦିରେ ଘନ ଘନ ପଇଁତରା ଜାରି ରହିଥିଲା। ତେଣୁ ଏଭଳି ମଉକାରେ ପୁଲିସକୁ ନିଶାଣ କରି ଆତଙ୍କବାଦୀମାନେ ଏଭଳି ଜଘଣ୍ୟ କାଣ୍ଡ ରଚାଇଛନ୍ତି। ସୋପୋରର ଛୋଟା ବଜାର ଓ ବଡ଼ା ବଜାର ମଧ୍ୟରେ ଥିବା ଗଳିର ଏକ ଦୋକାନ ପାଖରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ପକ୍ଷରୁ ଏହି ବେତାର ନିୟନ୍ତ୍ରିତ ବୋମାଟିକୁ ଖଞ୍ଜାଯାଇଥିଲା। ସେହି ବାଟ ଦେଇ ପୁଲିସ ପାଟ୍ରୋଲିଂ ଗାଡ଼ିଟି ଅତିକ୍ରମ କରୁଥିବା ବେଳେ ବୋମା ଉପରେ ମାଡ଼ିଯିବାରୁ ତାହା ବିସ୍ଫୋରିତ ହୋଇଥିଲା। ଏଥିରେ ଭାରତୀୟ ରିଜର୍ଭ ପୁଲିସ ବଳ, ତୃତୀୟ ବାଟାଲିଅନ୍‌ର ୪ ଜଣ ପୁଲିସ କର୍ମଚାରୀ ହିଁ  ଘଟଣାସ୍ଥଳରେ ସହିଦ ହୋଇଥିଲେ। ସହିଦମାନଙ୍କ ମଧ୍ୟରୁ ତିନି ଜଣଙ୍କ ପରିଚୟ ସ୍ପଷ୍ଟ ହୋଇଛି। ସେମାନେ ହେଲେ ଦୋଦା ଇର୍ସାଦ ଥାନା ଏଏସ୍‌ଆଇ ତଥା କୁପଓ୍ଵାଡ଼ା ବାସିନ୍ଦା ଏମ୍‌ ଅମିନ, ସୋପୋର୍‌ର ପୁଲିସ କର୍ମଚାରୀ ଗୁଲାମ ନବି ଏବଂ ଗୁଲାମ ରସୁଲ। ଏଥି ସହିତ ପାଟ୍ରୋଲିଂ ଗାଡ଼ିରେ ଥିବା ୨ ଜଣ ସହଯୋଗୀ ସୁରକ୍ଷା କର୍ମୀ ମଧ୍ୟ ଏହି ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଆଖପାଖ ତିନିଟି ଦୋକାନଗୃହ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଘଟଣାର ତୀବ୍ର ନିନ୍ଦା କରିବା ସହ ସହିଦଙ୍କ ପରିବାରକୁ ଟ୍ଵିଟ୍‌ କରି ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର