ସୋପିଆନ୍‌ରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିପାତ, ମହିଳା ମୃତ

ଶ୍ରୀନଗର: ଆଜି ଜମ୍ମୁ କଶ୍ମୀରର ସୋପିଆନ୍‌ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜଣେ ସ୍ଥାନୀୟ ମହିଳା ମଧ୍ୟ ଏହି ଗୁଳି ବିନିମୟରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦୁଇଦିନ ତଳେ କୁପଓ୍ଵାଡ଼ା ଜିଲ୍ଲାରେ ସେନା ଗୁଳିରେ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ବିବାଦ ଥମିନଥିବାବେଳେ ଆଜି ସୁରକ୍ଷାବାହିନୀ ଗୁଳିରେ ଅନ୍ୟଜଣେ ସାଧାରଣ ନାଗରିକଙ୍କ ପ୍ରାଣହାନି ଯୋଗୁଁ ଉତ୍ତେଜନା ବଢ଼ିଛି। ଗତକାଲି ସନ୍ଧ୍ୟାରେ ସୋପିଆନର ଓ୍ଵାନିପୁରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାବାହିନୀ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ତଲାସୀ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। କିନ୍ତୁ ଉଭୟ ପକ୍ଷର ଗୁଳି ବିନିମୟରେ ଦକ୍ଷିଣ କଶ୍ମୀରର ଭଟମରନ ଗ୍ରାମର ଜଣେ ମହିଳାଙ୍କର ମୃତ୍ୟୁ ହୋଇଯିବାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ବିବାଦ ଉଗ୍ରରୂପ ନେଇଛି। ସ୍ଥାନୀୟ ବିଶୃଙ୍ଖଳ ଜନତା ସୁରକ୍ଷାବାହିନୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାପାଇଁ ପଥର ଫିଙ୍ଗିଥିଲେ। ନିହତ ଆତଙ୍କବାଦୀ ୨ ଜଣଙ୍କ ମଧ୍ୟରୁ ଜଣେ ବିଦେଶୀ ଆତଙ୍କବାଦୀ ହୋଇଥିବାବେଳେ ଅନ୍ୟଜଣେ ଜୈଶ-ଏ-ମହମ୍ମଦ (ଜେଇଏମ)ର ସ୍ଥାନୀୟ ଆତଙ୍କବାଦୀ ବୋଲି ଜଣାଯାଇଛି।

ବର୍ଷକରେ ୭୫ ଯବାନ ସହିଦ, ୨୦୩ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ, ୧୯|୧୨: ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନରେ ଚଳିତ ବର୍ଷ ୨୦୩ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୭୫ ଯବାନ ସହିଦ ହୋଇଛନ୍ତି । ଏଥିରେ ୪୦ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଆହିର ଆଜି ସଂସଦରେ ପ୍ରଶ୍ନକାଳରେ ଏ ବାବଦରେ କହିଛନ୍ତି। ଚଳିତବର୍ଷ ଡିସେମ୍ବର ୧୪ ସୁଦ୍ଧା ଜମ୍ମୁ କଶ୍ମୀରରେ ୩୩୭ ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଥିବା ରିପୋର୍ଟ କରାଯାଇଛି।

ସମ୍ବନ୍ଧିତ ଖବର