ସୋପିଆନ୍‌ ଗୁଳିକାଣ୍ଡ: ୪୦ ଜଣ ଦୃଷ୍ଟିଶକ୍ତି ହରାଇବେ!

ଶ୍ରୀନଗର: ପେଲେଟ ଗୁଳିମାଡ଼କୁ ନେଇ କଶ୍ମୀରରେ ପୁଣି ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ରବିବାର ଦିନ ସୋପିଆନ୍‌ ଏନ୍‌କାଉଣ୍ଟର ସମୟରେ ସୁରକ୍ଷାବାହିନୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ସୁରକ୍ଷାବାହିନୀ ପକ୍ଷରୁ ବ୍ୟବହାର ହୋଇଥିବା ପେଲେଟ୍‌ ଗୁଳିରେ ପ୍ରାୟ ୪୦ ଜଣ ଦୃଷ୍ଟିଶକ୍ତି ହରାଇବା ଆଶଙ୍କା ଉପୁଜିଛି। ଏହି ଘଟଣାକୁ ନେଇ ମାନବାଧିକାର ସଂଗଠନମାନେ ଉଦ୍‌୍‌ବେଗ ପ୍ରକାଶ କରିବା ସହ ବିକ୍ଷୋଭକାରୀ (ପଥର ଫିଙ୍ଗାଳି)ଙ୍କ ଗୋଡ଼କୁ ଗୁଳି ମାରିବା ପରିବର୍ତ୍ତେ ସମସ୍ତଙ୍କ ଅଣ୍ଟା ଉପରକୁ ଗୁଳିମାଡ଼ ହୋଇଥିବାରୁ ଏହାର ତଦନ୍ତ ଦାବି କରିଛନ୍ତି। ୪୪ ଜଣ ଗୁରୁତର ଆହତଙ୍କ ମଧ୍ୟରୁ ୪୦ ଜଣଙ୍କ ମୁହଁରେ ଗଭୀର କ୍ଷତ ଲାଗିଛି ଏବଂ ସମସ୍ତେ ଦୃଷ୍ଟି ଶକ୍ତି ହରାଇବେ ବୋଲି ଜଣାପଡ଼ିବା

ପରେ ଏହାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ଆହତମାନେ ଏବେ ସୋପିଆନ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୋପିଆନର ଶ୍ରୀ ମହାରାଜା ହରି ସିଂହ ହସ୍ପିଟାଲ୍‌ର ୮ ନମ୍ବର ଓ୍ଵାର୍ଡରେ ଚିକିତ୍ସାଧୀନ ଥିବା ୧୪ ବର୍ଷୀୟ ଅଲିଫ ଅହମ୍ମଦଦଙ୍କ ମୁହଁରେ ପେଲେଟ୍‌ ଗୁଳି ବଜିବା ପରେ ଶତାଧିକ ସିସା ତାଙ୍କ ମୁହଁରେ ପଶିଯାଇଛି । ଅଷ୍ଟମ ଶ୍ରେଣୀର ଛାତ୍ର ଅହମ୍ମଦ ତାଙ୍କ ଦୃଷ୍ଟି ଶକ୍ତି ହରାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ବିଚ୍ଛିନ୍ନତାବାଦୀମାନେ ସେନା ଉପରେ ଆକ୍ରମଣ ପାଇଁ ଘାଟିର କିଶୋରଙ୍କୁ ନିୟୋଜିତ କରୁଥିବାରୁ ଏବେ ସେମାନଙ୍କ ଭବିଷ୍ୟତ ଅନ୍ଧକାରାଛନ୍ନ ହୋଇଉଠିଛି । ୧୪ ବର୍ଷୀୟ ମୁରତାଜା ହୁସେନ୍‌ ମଧ୍ୟ ଦୃଷ୍ଟିଶକ୍ତି ହରାଇଥିବା ଖବର ମିଳିଛି । ହୁସେନଙ୍କ ଦୁଇଟି ଯାକ ଆଖିରେ ଗଭୀର ଆଘାତ ଲାଗିଛି। ହସ୍ପିଟାଲ୍‌ ରେକର୍ଡ ଅନୁଯାୟୀ ପେଲେଟ ଗୁଳିର ଶିକାର ହୋଇଥିବା ୮୦ ପ୍ରତିଶତ ପୀଡ଼ିତଙ୍କ ବୟସ ୨୬ ବର୍ଷରୁ କମ୍‌। ଅଧିକାଂଶ କିଶୋର ଓ ଯୁବକଙ୍କ ମୁହଁରେ ବାଜିଥିବା ସିସା ଗୁଳି ତୀକ୍ଷ୍‌୍‌ଣ ଥିବାରୁ ଏହା ସାଂଘାତିକ ସ୍ଥିତି ସୃଷ୍ଟି କରୁଛି। ୨୦୧୬ରେ ଆତଙ୍କବାଦୀ ବୁରହନ୍‌ ଓ୍ଵାନିର ମୃତ୍ୟୁ ପରେ ହୋଇଥିବା ହିଂସାକୁ ନିୟନ୍ତ୍ରଣ ପାଇଁ ସୁରକ୍ଷା ବାହିନୀ ବ୍ୟାପକ ଭାବେ ପେଲେଟ ଗୁଳି ବ୍ୟବହାର କରିଥିଲା ଏବଂ ଏଥିରେ ଶତାଧିକ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇଥିଲେ।

ସମ୍ବନ୍ଧିତ ଖବର