ସୋରାବୁଦ୍ଦିନ ଏନ୍‌କାଉଣ୍ଟର ମାମଲା: ଆଉ ଜଣେ ବିଚାରପତି ବଳି ପଡ଼ିଲେ: ରାହୁଲ

ନୂଆଦିଲ୍ଲୀ: ବହୁ ଚଚ୍ଚିତ ସୋହରାବୁଦ୍ଦିନ ଶେଖ୍‌ ଏନ୍‌କାଉଣ୍ଟର ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କୁ ବଦଳା ଯାଇଥିବାରୁ ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହ ଏହି ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିବାରୁ ତାଙ୍କୁ ଖସାଇବା ନିମନ୍ତେ ବିଚାରପତିମାନଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ରାହୁଲ କହିଛନ୍ତି। ତେବେ ବିଚାରପତିଙ୍କ ବଦଳି ନ୍ୟାୟପାଳିକାର ସ୍ୱାଭାବିକ ପ୍ରକ୍ରିୟା ବୋଲି ବମ୍ବେ ହାଇକୋର୍ଟ ସୂତ୍ରରୁ ଜଣାପଡ଼ିଛି। ଏହି ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କୁ ବଦଳାଇ ତାଙ୍କ ସ୍ଥାନରେ ପୂର୍ବରୁ ଏହି ମାମଲାର ଶୁଣାଣି କରୁଥିବା ଜଣେ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି । ସିବିଆଇ ଜଜ୍‌ ବିଜି ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ଉଠାଇ ରାହୁଲ କହିଛନ୍ତି ଯେ ଏବେ ଆଉ ଜଣେ ବିଚାରପତି ଏହି ମାମଲାରୁ ବିଦାୟ ନେଇଛନ୍ତି ଏବଂ ଏହା ପଛରେ ଷଡ଼ଯନ୍ତ୍ର ରହିଛି । ରାହୁଲ କହିଛନ୍ତି ଯେ ଏହି ମାମଲାର ବିଚାର ପ୍ରକ୍ରିୟା ବେଳେ ଅମିତ ଶାହଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିବା ସିବିଆଇ ବିଚାରପତିଙ୍କୁ ପୂର୍ବରୁ ମଧ୍ୟ ହଟାଇ ଦିଆଯାଇଛି । ଏହି ମାମଲାରେ ବିଚାରପତି ଲୋୟା ପ୍ରଶ୍ନ ଉଠାଇବା ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଏହି ମୃତ୍ୟୁ କିଭଳି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ କେତେକ ଆଇପିଏସ୍‌ ଅଧିକାରୀ ଦୋଷମୁକ୍ତ ହୋଇଥିବା ବେଳେ ଏହାକୁ ମଧ୍ୟ କୋର୍ଟରେ ଚ୍ୟାଲେଂଜ କରାଯାଇଛି ।

ସମ୍ବନ୍ଧିତ ଖବର