ଦୁଃଖ ପ୍ରକାଶ କଲେ, କ୍ଷମା ମାଗିଲେ ନାହିଁ

ଜାଲିଆନୱାଲା ନରସଂହାର ଲଜ୍ଜାଜନକ: ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ୧୯୧୯ରେ ଅମୃତସରର ଜାଲିଆନୱାଲା ବାଗ୍‌ ନରସଂହାର ବ୍ରିଟିଶ ଇଣ୍ଡିଆ ଇତିହାସର ଏକ ଲଜ୍ଜାଜନକ ଦାଗ। ନରସଂହାରର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଥେରେସା ମେ ଏଭଳି ମନ୍ତବ୍ୟ ଦେଇ ଦୁଃଖ ପ୍ରକାଶ କରିଛନ୍ତି। କିନ୍ତୁ ଔପଚାରିକ ଭାବେ ଏହି ନରସଂହାର ଘଟଣା ପାଇଁ କ୍ଷମା ପ୍ରାର୍ଥନା କରି ନାହାନ୍ତି।
ହାଉସ୍‌ ଅଫ୍‌ କମନ୍ସ୍‌ର ପ୍ରଶ୍ନକାଳରେ ପ୍ରଧାନମନ୍ତ୍ରୀ ଥେରେସା ଜାଲିଆନୱାଲା ବାଗ୍‌ ନରସଂହାର ଉପରେ ମତ ରଖି କହିଛନ୍ତି, ଯାହା ଘଟିଥିଲା ସେଥିପାଇଁ ଗଭୀର ଦୁଃଖ ପ୍ରକାଶ କରୁଛୁ। ରାଣୀ ଏଲିଜାବେଥ୍‌ ୧୯୯୭ରେ ଜାଲିଆନୱାଲା ବାଗ୍‌ ଗସ୍ତ ପୂର୍ବରୁ ମଧ୍ୟ କହିଥିଲେ ଯେ ବ୍ରିଟିଶ ଇତିହାସର ଏହା ଏକ କଳଙ୍କିତ ଅଧ୍ୟାୟ। ଯାହା ପୂର୍ବରୁ ଆମେ କହିଆସିଛୁ ତାହାକୁ ଆମେ ଦୋହରାଉଛୁ ବୋଲି ଥେରେସା କହିଥିଲେ ମଧ୍ୟ ସ୍ପଷ୍ଟ ଭାବେ କ୍ଷମା ପ୍ରାର୍ଥନା କରିନାହାନ୍ତି।
ମୁଖ୍ୟ ବିରୋଧୀ ଦଳର ନେତା ଜେରେମି କର୍‌ବିନ୍‌ ଜାଲିଆନୱାଲା ନରସଂହାର ପାଇଁ ସରକାର ‘ପୂର୍ଣ୍ଣ ଓ ସ୍ପଷ୍ଟ’ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ।
ସୂଚନାଯୋଗ୍ୟ, ଜାଲିଆନୱାଲା ବାଗ୍‌ରେ ୧୯୧୯ ବୈଶାଖୀ ଦିନ ହଜାରହଜାର ଶିଖ ବ୍ରିଟିଶ ଶାସନ ବିରୋଧରେ ସମ୍ମିଳିତ ହୋଇଥିଲେ। ଏହି ସଭାକୁ ଭଣ୍ଡୁର କରିବା ପାଇଁ ଜେନେରାଲ୍‌ ଡାୟାର ଗୁଳିଚାଳନା ପାଇଁ ସେନାକୁ ଆଦେଶ ଦେଇଥିଲେ। ଉକ୍ତ ଗୁଳିକାଣ୍ଡରେ ୩୭୯ ଜଣ ମୃତ୍ୟୁବରଣ କରିଥିବା ଇଂଲଣ୍ଡ ସରକାର କହୁଥିବା ବେଳେ ଅନ୍ୟୂନ ଏକ ହଜାର ଜଣଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର