କତାର୍‌କୁ ବିଚ୍ଛିନ୍ନ କରିବ ସାଉଦି

୨୦୦ ମିଟର ଓସାରର କେନାଲ ନିର୍ମାଣ ଯୋଜନା

ରିୟାଦ୍‌: ପଡ଼ୋଶୀ କତାର୍‌ ସହିତ ସାଉଦି ଆରବର ସଂପର୍କ କ୍ରମେ ଖରାପ ହେବାରେ ଲାଗିଛି। କତାର୍‌ ସହିତ କୌଣସି ସଂପର୍କ ନରଖିବା ପାଇଁ ଏବେ ବିଭିନ୍ନ ଯୋଜନା ତିଆରି କରୁଛି ସାଉଦି। ସଦ୍ୟତମ ଯୋଜନା ଅନୁସାରେ କତାର୍‌କୁ ଏବେ ଏକ ଦ୍ୱୀପରେ ପରିଣତ କରିବା ଲାଗି ଯୋଜନା ତିଆରି କରାଯାଉଛି। ଏଥିପାଇଁ ୨୦୦ ମିଟର ଓସାରର ଏକ ବିରାଟ କେନାଲ୍‌ ଖୋଳିବା ପାଇଁ ବିଚାର କରାଯାଉଛି। କତାର୍‌କୁ ଏକ ଦ୍ୱୀପରେ ପରିଣତ କରିବା ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯିବ। ସ୍ଥଳଭାଗରେ ଯେମିତି କତାର୍‌ ଆଉ କୌଣସି ସଂପର୍କ ନରଖେ ସେଥିପାଇଁ ଏହି କେନାଲ୍‌ ଖୋଳାଯିବ। ସାଉଦି ଅଧିକାରୀ ସୌଦ୍‌ ଅଲ୍‌-କତାନି କହିଛନ୍ତି, ସରକାରଙ୍କ ପକ୍ଷରୁ ସାଲ୍‌ଓ୍ଵା ଦ୍ୱୀପ ପ୍ରକଳ୍ପ ପାଇଁ ଯୋଜନା କରାଯାଉଛି। ମୁଁ ଏବେ ଏହାର ବିସ୍ତତ ରିପୋର୍ଟକୁ ବ୍ୟାକୁଳତାର ସହ ଅପେକ୍ଷା କରିଛି। ରିପୋର୍ଟ ଆସିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ଏବଂ ପ୍ରକଳ୍ପ କାର୍ଯ୍ୟ ଆଗେଇବ। କତାର୍‌ ସହିତ ସ୍ଥଳଭାଗରେ ସଂପର୍କ ଛିନ୍ନ କରିବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି ସେ ଦର୍ଶାଇଛନ୍ତି। ରିପୋର୍ଟ ମୁତାବକ ଏହି କେନାଲ୍‌ର ଦୈର୍ଘ୍ୟ ୩୮ ମାଇଲ୍‌ ବା ୬୦ କିଲୋମିଟର ହେବ ଏବଂ ଏଥିରେ ୭୫୦ ନିୟୁତ ଡଲାର ଖର୍ଚ୍ଚ କରାଯିବ। ଏହାକୁ ଏକ ଆଣବିକ ଆବର୍ଜନା ସ୍ଥଳୀ ଭାବେ ବ୍ୟବହାର ପାଇଁ ମଧ୍ୟ ଯୋଜନା କରାଯାଉଛି। କେନାଲ୍‌ ଖୋଳିବାରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଥିବା ୫ଟି କମ୍ପାନିକୁ ବିଡିଂ ଡାକିବା ପାଇଁ ଆହ୍ଵାନ ଦିଆଯାଇଛି। ସେପ୍ଟେମ୍ବରରେ ଜଣେ କମ୍ପାନିକୁ ଚୟନ କରାଯିବ ବୋଲି ଜଣାଯାଇଛି। ତେବେ ଏ ସଂପର୍କରେ ଅଧିକ କିଛି କହିବା ପାଇଁ ସାଉଦି ଅଧିକାରୀ ମନା କରିଦେଇଛନ୍ତି।

ସମ୍ବନ୍ଧିତ ଖବର