ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀ : ପଢ଼ାଇଲେ ସହିଷ୍ଣୁତାର ପାଠ

ନାଗପୁର : ବୟୋଜ୍ୟେଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ବାର୍ଷିକ ସଭାରେ ଯୋଗ ଦେଇ କର୍ମୀମାନଙ୍କୁ ଶାନ୍ତି, ସହିଷ୍ଣୁତା, ଉଦାର ଜାତୀୟତାବାଦ ଏବଂ ଧର୍ମନିରପେକ୍ଷତାର ପାଠ ପଢ଼ାଇଛନ୍ତି। ସେ କହିଛନ୍ତି ଯେ ଭାରତର ଆତ୍ମା ବହୁବାଦ ଏବଂ ସହିଷ୍ଣୁତା ମଧ୍ୟରେ ରହିଛି। ଶତାବ୍ଦୀ ଶତାବ୍ଦୀ ଧରି ବିଭିନ୍ନ ଚିନ୍ତାଧାରାର ମିଶ୍ରଣ ଫଳରେ ଏହି ବହୁବାଦ ଆସିଛି। ଜାତୀୟତା କହିଲେ ସମସ୍ତଙ୍କୁ ସାମିଲ କରିବାକୁ ବୁଝାଇଥାଏ। ଘୃଣା ଏବଂ ଅସହିଷ୍ଣୁତା ଆମ ଜାତୀୟ ପରିଚୟକୁ କ୍ଷୁଣ୍ଣ କରିବ।

ଆର୍‌ଏସ୍‌ଏସ୍‌ର ଏହି କାର୍ଯ୍ୟକ୍ରମରେ ପ୍ରଣବଙ୍କ ଯୋଗଦାନକୁ ନେଇ କିଛି ଦିନ ଧରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ଅନେକ କଂଗ୍ରେସ ନେତା ବିରୋଧ କରିବା ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରି ପ୍ରଣବ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ସେ କଣ କହିବେ ତାହା ଉପରେ ସମସ୍ତଙ୍କର ନଜର ଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଣବ ମୁଖାର୍ଜୀ ସ୍ୱୟଂସେବକମାନଙ୍କୁ ଶାନ୍ତି, ସଦ୍‌ଭାବନା ଓ ସହିଷ୍ଣୁତାର ପାଠ ପଢାଇଛନ୍ତି। ମହାତ୍ମା ଗାନ୍ଧୀ କହିଥିଲେ ଭାରତର ଜାତୀୟତାବାଦ ଆକ୍ରମଣାତ୍ମକ କିମ୍ବା ଧ୍ୱଂସାତ୍ମକ ନୁହେଁ। ଭାରତର ଆତ୍ମା ବହୁବାଦ ଏବଂ ସହିଷ୍ଣୁତା ମଧ୍ୟରେ ରହିଛି। ଏହା ହେଉଛି ଭାରତର ପରିଚୟ ଏବଂ ଧର୍ମନିରପେକ୍ଷତା ହେଉଛି ଆମର ଆସ୍ଥା। ଭାରତର ଶହେ କୋଟିରୁ ଊର୍ଧ୍ୱ ଲୋକଙ୍କ ଆଶା ଓ ଆକାଂକ୍ଷାର ପ୍ରତିନିଧି ହେଉଛି ଆମ ସମ୍ବିଧାନ। ସମାଗମ ଓ ସମ୍ମିଶ୍ରଣର ଦୀର୍ଘ ପ୍ରକ୍ରିୟା ଦ୍ୱାରା ଆମର ଜାତୀୟ ପରିଚୟ ମୁଣ୍ଡ ଟେକିଛି। ବିଭିନ୍ନ ପ୍ରକାର ସଂସ୍କୃତି ଏବଂ ବିଶ୍ୱାସ ଆମକୁ ସ୍ୱତନ୍ତ୍ର ଏବଂ ସହିଷ୍ଣୁ କରିଛି। ଜାତୀୟତା କହିଲେ ସମସ୍ତଙ୍କୁ ସାମିଲ କରିବାକୁ ବୁଝାଇଥାଏ। ଘୃଣା ଏବଂ ଅସହିଷ୍ଣୁତା ଆମ ଜାତୀୟ ପରିଚୟକୁ କ୍ଷୁର୍ଣ୍ଣ କରିବ।

ସେ କହିଲେ ଯେ ଦେଶ, ଜାତୀୟତାବାଦ ଏବଂ ଦେଶଭକ୍ତି ସମ୍ପର୍କରେ ମୁଁ ଯାହା ବୁଝିଛି ତାହା ଆପଣମାନଙ୍କୁ ଜଣାଇବା ଲାଗି ଏଠାକୁ ଆସିଛି। ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ସହାନୁଭୂତି, ଜୀବନକୁ ସମ୍ମାନ, ପ୍ରକୃତି ସହିତ ସଂହତି ଆମ ସଭ୍ୟତାର ମୂଳଦୁଆ। ହିଂସାର ଉଦ୍ରେକ ଆମ ସାମାଜ ଆଖିରେ ଲୁହ ଆଣିଥାଏ। ପ୍ରତ୍ୟେକ ଦିନ ଆମ ଚାରିପଟେ ହିଂସା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଏହି ହିଂସାର ମୂଳରେ ରହିଛି ଭୟ ଏବଂ ଅବିଶ୍ୱାସ।

ପ୍ରଣବ ଆହୁରି କହିଲେ, ସାଧାରଣରେ ଦିଆଯାଉଥିବା ଭାଷଣ ସବୁ ପ୍ରକାର ହିଂସାରୁ ମୁକ୍ତ ରହିବା ଉଚିତ। ବିବିଧତାକୁ ସ୍ୱୀକୃତି ଦେବାକୁ ହେବ। ଆମେ ଯୁକ୍ତି କରିପାରୁ, ସହମତି ପ୍ରକାଶ କରିପାରୁ ବା ଅସହମତି ପ୍ରକାଶ ମଧ୍ୟ କରି ପାରୁ। କିନ୍ତୁ ମତରେ ରହିଥିବା ବହୁବାଦକୁ ଆମେ ଅସ୍ୱୀକାର କରିପାରିବା ନାହିଁ। ରାଜନୀତିରେ ଅସ୍ୱାସ୍ଥ୍ୟକର କଳି ନକରି ଆମେ କେବଳ କଥାବାର୍ତ୍ତା ମାଧ୍ୟମରେ ଜଟିଳ ସମସ୍ୟା ସମାଧାନ କରିବାର ବୋଧକୁ ଉଦ୍ରେକ କରିପାରିବା।

ଦାରିଦ୍ର୍ୟ, ରୋଗ ଏବଂ ଅଭାବ ବିରୋଧରେ ମିଳିତ ଲଢ଼େଇ କରିବା ପାଇଁ ରାଷ୍ଟ୍ର ଉଦ୍ୟମ କରିବା ଉଚିତ। ତାହେଲେ ଯାଇ ଆମେ ଏକ ରାଷ୍ଟ୍ର ତିଆରି କରିପାରିବା ଯେଉଁଠି ଜାତୀୟତାବାଦ ଆପେ ପ୍ରବାହ ହେବ।

ଆରଏସ୍‌ଏସ୍‌ରେ ତାଲିମ ନେଇଥିବା ଶୃଙ୍ଖଳିତ ଯୁବକମାନେ ସଂହତି ପାଇଁ କାର୍ଯ୍ୟ କରିବା ଉଚିତ। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଉଭା ହୋଇଥିଲେ ମଧ୍ୟ ଖୁସି ସୂଚୀରେ ଆମେ ବହୁ ପଛରେ ପଡ଼ିଛୁ। ଅନେକ ଭାଷା ଓ ଧର୍ମ ଗୋଟିଏ ପତାକା ତଳେ ରହିଛି। ପ୍ରତ୍ୟେକ ଦିନ ଆମେ ହିଂସା ବୃଦ୍ଧି ପାଉଥିବା ଦେଖୁଛୁ। ତାଲିମ ନେଇଥିବା ଯୁବକମାନେ ଶାନ୍ତି ପାଇଁ ଉଦ୍ୟମ କରିବା ଆବଶ୍ୟକ। ଆମ ମାତୃଭୂମି ତାହା ହିଁ ମାଗୁଛି ଏବଂ ଆବଶ୍ୟକ କରୁଛି ବୋଲି ସେ କହିଥିଲେ। ସଂସଦର ୬ ନମ୍ବର ଗେଟ୍‌ର ଲିଫ୍‌ଟ ଉପରେ କୌଟିଲ୍ୟଙ୍କ ଏକ ବାଣୀ କଥା ଉଲ୍ଲେ୍‌ଖ କରି ସେ କହିଲେ ଯେ ଏଥିରେ ଲେଖାଯାଇଛି ଯେ ଲୋକଙ୍କ ଖୁସିରେ ରାଜାଙ୍କ ଖୁସି ନିହିତ ଅଛି। ସେମାନଙ୍କ ମଙ୍ଗଳ ହିଁ ରାଜାଙ୍କ ମଙ୍ଗଳ।

ପ୍ରଣବ କହିଲେ, ମୁଁ ଆଖି ବୁଜିଲେ ଗୋଟିଏ ପଟରୁ ଅନ୍ୟ ପଟ ପର୍ଯ୍ୟନ୍ତ ଭାରତର ସ୍ୱପ୍ନ ଦେଖିଥାଏ। ତ୍ରିପୁରାରୁ ଦ୍ୱାରକା, କଶ୍ମୀରରୁ କନ୍ୟାକୁମାରୀକୁ ଦେଖେ। ଏହା ମାତେ ସମ୍ମୋହିତ କରିଥାଏ। ଅଗଣିତ ଧର୍ମ, କଥିତ ଭାଷା, ବର୍ଣ୍ଣ ଏବଂ ଜାତି ଗୋଟିଏ ସମ୍ବିଧାନ ଅଧୀନରେ ରହିଛି। ଗୋଟିଏ ବ୍ୟବସ୍ଥା ଅଧୀନରେ ୧୨୨ଟି ଭାଷା, ୧୬୦୦ କଥିତ ଭାଷା, ୭ଟି ପ୍ରମୁଖ ଧର୍ମ, ୩ଟି ପ୍ରମୁଖ ବର୍ଣ୍ଣ ରହିଛନ୍ତି। ଗୋଟିଏ ସମ୍ବିଧାନ ଏବଂ ପରିଚୟରେ ଆମେ ଭାରତୀୟ ଭାବେ ପରିଚିତ। ଏହା ହିଁ ଭାରତକୁ ବିବିଧତାର ରୂପ ଦେଇଥାଏ।

ପଣ୍ଡିତ ନେହରୁ କହିଥିଲେ ଭାରତର ଜାତୀୟତାବାଦ କେବଳ ହିନ୍ଦୁ, ମୁସଲମାନ ଏବଂ ଅନ୍ୟ ସମସ୍ତ ଧର୍ମର ମିଳନରୁ ଆସିଛି। ଭାରତର ଜାତୀୟତାବାଦ ରାଜନୀତି, ଧର୍ମ ଏବଂ ଆଞ୍ଚଳିକତା ପ୍ରତି ଥିବା ଦୁର୍ବଳତାରୁ ଊର୍ଧ୍ୱରେ ରହିଥିଲା ଏବଂ ରହିଛି। ସ୍ୱାଧୀନତା ପୂର୍ବରୁ ଏହା ସତ୍ୟ ଥିଲା ଏବଂ ସ୍ୱାଧାନତା ପରେ ମଧ୍ୟ ସତ୍ୟ ହୋଇ ରହିଛି।

ଭାରତ ସହିତ ଅନେକ ଗଡ଼ଜାତ ରାଜ୍ୟକୁ ସର୍ଦ୍ଦାର ପଟେଲ ମିଶାଇବାରେ ସହାୟତା କରିଥିଲେ। ଜାତୀୟତାବାଦର ଅର୍ଥ ହେଲା ସବୁ ଧର୍ମର ସମ୍ମିଶ୍ରଣ। ବିବିଧ ସଂସ୍କୃତି ଆମକୁ ଏକ ସ୍ୱତନ୍ତ୍ର ଦେଶରେ ପରିଣତ କରିଛି।

ଇତିହାସ ଉପରେ ଏକ ତ୍ୱରିତ ନଜର ପକାଇଲେ ରାଷ୍ଟ୍ର ଭାବେ ଭାରତର ସ୍ଥିତି ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ରହିଛି। ୬୦୦ ବର୍ଷ ପାଇଁ ଭାରତରେ ମୁସଲିମ୍‌ ଶାସକ ଥିଲେ। ସେମାନଙ୍କଠାରୁ ଇଷ୍ଟ ଇଣ୍ଡିଆ କମ୍ପାନି ଶାସନ ଭାର ହାତକୁ ନେଇଥିଲା। ଏହାପରେ ବ୍ରିଟିସ ରାଣୀଙ୍କ ହାତକୁ ଶାସନ ଯାଇଥିଲା। ତେବେ ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ ଯେ ଏତେସବୁ ଶାସକଙ୍କ ସତ୍ତ୍ୱେ ୫୦୦୦ ବର୍ଷର ପୁରୁଣା ସଭ୍ୟତା ତିଷ୍ଠି ରହିଛି।

ସମ୍ବନ୍ଧିତ ଖବର