ଶ୍ରୀଲଙ୍କା ଛୁଇଁଲା ମୌସୁମୀ, ଆସନ୍ତା କାଲି ସୁଦ୍ଧା କେରଳ ଛୁଇଁବା ସମ୍ଭାବନା

ହାଇଦ୍ରାବାଦ : ଗତ ୨୫ ତାରିଖ ଦିନ ଆଣ୍ଡାମାନ ଛୁଇଁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତ ତିନି ଦିନ ମଧ୍ୟରେ ଆହୁରି ଅଗ୍ରଗତି କରିଛି । ଭାରତୀୟ ପାଣିପାଗ ବିଭାଗ ଓ ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଇମେଟର ଆକଳନ ଅନୁସାରେ ମୌସୁମୀ ବାୟୁ ଆଜି ଶ୍ରୀଲଙ୍କା, ଦକ୍ଷିଣ ଆରବ ସାଗର, ମାଳଦ୍ୱୀପ କମରିନ ଆଦି ଅଞ୍ଚଳକୁ ଛୁଇଁଛି । ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା କେରଳ ଛୁଇଁବ । ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ମୌସୁମୀର ଅଗ୍ରଗତି ପାଇଁ ସ୍ଥିତି ଅନୁକୂଳ କରିଛି ବୋଲି ସ୍କାଇମେଟ କହିଛି ।
ଗତ ଶୁକ୍ରବାରଦିନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ, ଦକ୍ଷିଣପୂର୍ବ ବଙ୍ଗପୋସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ପହଞ୍ଚିଥିଲା । ତେବେ ସାଗର ବାତ୍ୟା ପ୍ରଭାବରୁ ଏହା କିଛିଟା ବିଳମ୍ବରେ ପହଞ୍ଚିଥିଲ । ପୂର୍ବରୁ ଜୁନ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ସ୍କାଇମେଟ୍‌ ଅଟକଳ କରାଯାଇଥିଲେ ମଧ୍ୟ ପ୍ରକୃତରେ ମୌସୁମୀ ୨ ଦିନ ଆଗୁଆ କେରଳ ଛୁଇଁବ । ଭାରତୀୟ ପାଣିପାଗ ବିଭାଗର ଅଟକଳ ଅନୁସାରେ ମୌସୁମୀ ମେ ୨୯ କିମ୍ବା ୩୦ରେ କେରଳ ଛୁଇଁବ । ଏବର୍ଷ ସ୍ୱାଭାବିକ ବର୍ଷା (୯୭%) ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ସ୍ୱାଭାବିକ ମୌସୁମୀ ସରକାରଙ୍କ ଚିନ୍ତାକୁ ଅନେକ ପରିମାଣରେ କମାଇବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର