ସପା ସହ ସମ୍ପର୍କ ତୁଟାଇଲା ବସପା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସପା-ବସପା ମେଣ୍ଟର ପରିସମାପ୍ତି ଘଟିଛି। ବସପା ସୁପ୍ରିମୋ ମାୟାବତୀ ସପା ସହ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି। କେବଳ ଉପନିର୍ବାଚନ ନୁହେଁ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ନିର୍ବାଚନ ବପସା ଏକାକୀ ଲଢ଼ିବ ବୋଲି ଆଜି ମାୟାବତୀ ଘୋଷଣା କରିଛନ୍ତି। ମାୟାବତୀ ଟ୍ବିଟ୍‌ କରି ଅଖି‌ଳେଶ ଯାଦବଙ୍କ ନେତୃତ୍ବାଧୀନ ସପା ବିରୋଧରେ ପ୍ର‌ବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାୟାବତୀ କହିଛନ୍ତି, ଲୋକସଭା ନିର୍ବାଚନ ପରେ ସପାର ବ୍ୟବହାରରେ ବସପା ନେତୃବୃନ୍ଦ ମାନେ ଅତିଷ୍ଠ ହୋଇ ପଡ଼ିଥିଲେ। ବିଜେପିକୁ ହରାଇବାପାଇଁ ସପା ସହ ମେଣ୍ଟ ବଜାୟ ରଖିବା ସମ୍ଭବ କି ନା’ ପ୍ରଥମେ ଚିନ୍ତା କରାଯାଇଥିଲା। କିନ୍ତୁ ପରିଶେଷରେ ବସପା ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ ସପା ସହ ମେଣ୍ଟ ଆଦୌ ସମ୍ଭବ ନୁହେଁ। ତେଣୁ ଦଳର ସ୍ବାର୍ଥ ଦୃଷ୍ଟିରୁ ବସପା ଭବିଷ୍ୟତରେ ସମସ୍ତ ନିର୍ବାଚନ ଏକାକୀ ଲଢ଼ିବ । ସୂଚନାନୁଯାୟୀ ନିକଟରେ ସରିଥିବା ଲୋକସଭା ନିର୍ବାଚନରେ ବସପାର ପ୍ରଦର୍ଶନକୁ ସମୀକ୍ଷା କରିବାପାଇଁ ମାୟାବତୀ ଗତକାଲି ଲକ୍ଷ୍ନୌଠାରେ ବସପାର ଏକ ଗୁରୁତ୍ବପୂର୍ଣ୍ଣ ସର୍ବଭାରତୀୟ ସ୍ତରୀୟ ବୈଠକ କରିଥିଲେ। ଏହି ବୈଠକରେ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

୨୦୧୯ ଲୋକସଭା‌ ନିର୍ବାଚନରେ ବିଜେପିକୁ ମାତ୍‌ ଦେବାପାଇଁ ସପା-ବସପା ମେଣ୍ଟ କରିଥିଲେ। କିନ୍ତୁ ଏହି ମେଣ୍ଟ ବିଜେପି ବାଟରେ କିଛି ବାଧା ସୃଷ୍ଟି କରିପାରିନଥିଲା। ୮୦ ଆସନରୁ ବିଜେପି ୬୨ ଆସନରେ ନିର୍ବାଚନ ଜିତିଥିବାବେଳେ ବସପା ୧୦ଟିରେ ଏବଂ ସପା ମାତ୍ର ୫ଟିରେ ସୀମିତ ରହିଥିଲା। ଲୋକସଭା ନିର୍ବାଚନ ଫଳାଫଳ ଆସିବାପରେ ମାୟାବତୀ ସପା ବିରୋଧରେ ନିଜର ଅସନ୍ତୋ‌ଷ ପ୍ରକାଶ କରି କହିଥିଲେ । ଯଦି ସପା ଆଗକୁ ଭଲ ପ୍ରଦର୍ଶନ କରେ ତେବେ ଏହା ସହ ପୁନର୍ବାର ମେଣ୍ଟ କଥା ଚିନ୍ତା କରାଯିବ ବୋଲି ମାୟାବତୀ କହିଥିଲେ। କିନ୍ତୁ ଏବେ ମେଣ୍ଟରେ ପରିସମାପ୍ତି ଘଟିଛି।

ସମ୍ବନ୍ଧିତ ଖବର