ଦିନକ ପରେ ଅମରନାଥ ଯାତ୍ରା: ୪୦,୦୦୦ ସୁରକ୍ଷା କର୍ମୀ ନିୟୋଜିତ, ସିଆରପିଏଫ୍‌ ଗଠନ କଲା ମୋଟରସାଇକେଲ୍‌ ସ୍କ୍ଵାର୍ଡ

ଜମ୍ମୁ: ଜୁନ୍‌ ୨୮ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ସାମିଲ୍‌ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଲାଗି ଅଦ୍ଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର। ଦୀର୍ଘ ୨ ମାସ ଧରି ଚାଲିବାକୁ ଥିବା ଅମରନାଥ ଯାତ୍ରା ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ତୀର୍ଥଯାତ୍ରୀ ସାମିଲ୍‌ ହୋଇଥାଆନ୍ତି। ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା ଥିବାରୁ ସିଆର୍‌ପିଏଫ୍‌ ପକ୍ଷରୁ ଏକ ମୋଟରସାଇକେଲ୍‌ ସ୍କ୍ଵାର୍ଡ ଗଠନ କରାଯାଇଛି।

ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟରକ୍ଷା ପ୍ରତି ଧ୍ୟାନ ଦେଇ ସିିଆର୍‌ପିଏଫ୍‌ ଏହି ମୋଟରସାଇକେଲ୍‌ ସ୍କ୍ଵାର୍ଡ ଗଠନ କରିଛି। ଗୋଟିଏ ପଟେ ଏହି ସ୍କ୍ଵାର୍ଡ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇବା ସହ ଅନ୍ୟପକ୍ଷରେ ଏକ ଆମ୍ବୁଲାନ୍ସ ଭଳି କାର୍ଯ୍ୟକରିବ ବୋଲି ସିଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି।
ଏଥିସହ ଅମରନାଥ ଯାତ୍ରାରେ ସାମିଲ୍‌ ଥିବା ପ୍ରତିଟି ଗାଡ଼ିରେ ରେଡିଓ ପ୍ରିକୁଏନ୍ସି ଟ୍ୟାଗ୍‌ ଲଗାଯିବ। ଏହାଦ୍ୱାରା ଅମରନାଥଯାତ୍ରା ଲାଗି ପ୍ରତିଷ୍ଠିତ କଣ୍ଟ୍ରୋଲ୍‌ ରୁମ୍‌ରୁ ଗାଡ଼ିଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଇପାରିବ।

http://www.freepressjournal.in

ଯାତ୍ରାକୁ ସୁରକ୍ଷା ଯୋଗାଇବା ଲାଗି ଜମ୍ମୁ-କାଶ୍ମୀର ପୁଲିସ୍‌, ସିଆର୍‌ପିଏଫ୍‌,ଏନ୍‌ଡିଆର୍‌ଏଫ୍‌ ଏବଂ ସେନାର ୪୦,୦୦୦ ଯବାନ ଓ ଅଧିକାରୀ ନିୟୋଜିତ ହୋଇଛନ୍ତି। ଯାତ୍ରାର ସମୁଦାୟ ରାସ୍ତାକୁ ଜଗିବା ଲାଗି ୨୨,୫୦୦ ଅର୍ଧସାମରିକ ବଳର ଯବାନଙ୍କୁ ନିୟୋଜିତ କରାଯାଇଛି।
ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ଲାଗି ଏକ ମିଳିତ କଣ୍ଟ୍ରୋଲ୍‌ ରୁମ୍‌ ସ୍ଥାପନ କରାଯାଇଛି। ଯାତ୍ରାର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଖଞ୍ଜାଯାଇଥିବାବେଳେ ସ୍ଥାନେ ସ୍ଥାନେ ବୁଲ୍‌ଟ୍‌ ଗ୍ରୁଫ୍‌ ବଙ୍କରର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହ ବମ୍‌ ସ୍କ୍ଵାର୍ଡ, ଡଗ୍‌ ସ୍କ୍ଵାର୍ଡ ମଧ୍ୟ ସାମିଲ୍‌ ଅଛନ୍ତି।
ଏଯାବତ୍‌ ଅମରନାଥ ଯାତ୍ରାରେ ଭାଗ ନେବା ଲାଗି ଦେଢ଼ ଲକ୍ଷ ଭକ୍ତ ନାମ ପଞ୍ଜିକୃତ କରିଥିବା ବେଳେ ଗତ ବର୍ଷ ୨ଲକ୍ଷ ୬୦ ହଜାର ତୀର୍ଥଯାତ୍ରୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର