ଆସାମ: ଟ୍ରେନ ଧକ୍କାରେ ୫ ହାତୀ ମୃତ

ଗୌହାଟୀ- ଆସାମ ବାଲିପଡ଼ାଠାରେ ଏକ ଦ୍ରୁତଗାମୀ ଟ୍ରେନ ଧକ୍କାରେ ପ୍ରାୟ ୫ଟି ବଣୁଆ ହାତୀ ମୃତ୍ୟୁବରଣ କରିଛନ୍ତି । ମୃତ ହାତୀମାନଙ୍କମଧ୍ୟରେ ଏକ ଗର୍ଭବତୀ ହାତୀ ଥିଲା ଯାହାର ଗର୍ଭରୁ ଏକ ହାତୀଶାବକକୁ ଉଦ୍ଧାର କରାଯାଇଛି ।

ରବିବାର ରାତି ୧ଟା ୧୫ରେ ଆସାମ ରାଜଧାନୀ ଗୌହାଟୀଠାରୁ ପ୍ରାୟ ୨୧୦ କିମି ଦୂରରେ ଥିବା ବାମଗାଁଓ ଚା’ବଗିଚା ନିକଟରେ ଏହି ଦୂର୍ଘଟଣା ଘଟିଛି । ଖାଦ୍ୟ ସନ୍ଧାନରେ ଏକ ବଡ଼ ହାତୀପଲ ରେଳଲାଇନ ପାରି ହେଉଥିବାବେଳେ ଟ୍ରେନଟି ସେମାନଙ୍କୁ ଧକ୍କା ଦେଇଥିଲା । ଆସାମର ସୋନିତପୁର ପୂର୍ବ ଜିଲ୍ଲାର ଡିଭିଜିନାଲ ଫରେଷ୍ଟ ଅଫିସର ଦାବିନ୍ଦର ସୁମନ କହିଛନ୍ତି ଯେ ଉକ୍ତ ଜଙ୍ଗଲରେ ପ୍ରାୟ ୧୦୦ ହାତୀ ଥିବା ଏକ ଦଳ ଥିବାର ସୂଚନା ମିଳିିଥିଲା । ତେବେ ବନ ବିଭାଗ ଅଧିକାରୀମାନେ ଉକ୍ତ ଜଙ୍ଗଲର ଆଉ ଏକ ଅଂଚଳରେ ହାତୀପଲର ସନ୍ଧାନ କରୁଥିବାବେଳେ ଆଉ ଏକ ଛୋଟ ହାତୀପଲ ଖାଦ୍ୟ ଅନେ୍ଵଷଣରେ ରେଳଧାରଣା ପାରି ହେଉଥିଲେ । ସେହିସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ତେବେ ଏହି ଦୁର୍ଘଟଣା ପାଇଁ ରେଳବାଇକୁ ଦାୟୀ କରାଯାଇପାରିବ ନାହିଁ ବୋଲି କହିଛନ୍ତି ଆସାମର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରମିଳାରାଣୀ ବ୍ରହ୍ମା । ବଣ୍ୟଜନ୍ତୁଙ୍କ ଆବାସସ୍ଥଳୀ ଓ ସଂରକ୍ଷିତ ଜଙ୍ଗଲରେ ମଣିଷର ଅନୁପ୍ରବେଶ ବଢିଯାଇଛି । ଏଥିଲାଗି ବଣ୍ୟଜନ୍ତୁ ଖାଦ୍ୟ ସନ୍ଧାନରେ ବିଭିନ୍ନ ଆଡକୁ ଯାଉଛନ୍ତି । ଏହା ଫଳରେ ହିଁ ସେମାନେ ଦୁର୍ଘଟଣା ହେଉଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ରେଳବାଇ ପକ୍ଷରୁ କୁହାଯାଇଛି ଯେ ଉକ୍ତ ଅଞ୍ଚଳଟି ଏକ ହାତୀ କରିଡର ଭାବେ ଚିହ୍ନିତ ହୋଇନାହିଁ । ଏଣୁ ଟ୍ରେନ ପାଇଁ କୌଣସି ସ୍ପୀଡ୍‌ ଲିମିଟ୍‌ ଧାର୍ଯ୍ୟ କରାଯାଇନାହିଁ ।

ସମ୍ବନ୍ଧିତ ଖବର