ରବିବାରଠାରୁ ହଂକଂକୁ ବିମାନ ସେବା ବନ୍ଦ କରିବ ସ୍ପାଇସ ଜେଟ୍‌

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ଭାଇରସର ଭୟାବହତା ବଢିଚାଲିଛି । ମୃତ୍ୟୁସଂଖ୍ୟା ୧୫୦୦ ଟପିଲାଣି । ଏହା ଏବେ କେବଳ ଚୀନରେ ସୀମିତ ହୋଇ ରହିନାହିଁ, ଏହା ସାରା ବିଶ୍ୱରେ ବ୍ୟାପିବାକୁ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବିମାନ ସେବା କମ୍ପାନିମାନେ କିଛି ଦିନ ତଳେ ଚୀନକୁ ସିଧାସଳଖ ଫ୍ଲାଇଟ ଚଳାଚଳ ବନ୍ଦ କରିଛନ୍ତି । କିନ୍ତୁ ହଂକଂକୁ ବିମାନଚଳାଚଳ ଜାରି ରହିଥିଲା । ଏବେ କରୋନା ଭାଇରସ ହଂକଂକୁ ବ୍ୟାପିବା ପରେ ସେଠାକୁ ମଧ୍ୟ ଫ୍ଲାଇଟ ଚଳାଚଳ ବନ୍ଦ ହେବାକୁ ଯାଉଛି ।

ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ ଶୁକ୍ରବାରଦିନ କହିଛି ଯେ ଆସନ୍ତା ୧୬ରୁ ୨୯ ପର୍ଯ୍ୟନ୍ତ ହଂକଂକୁ ଏହାର ଫ୍ଲାଇଟ ଚଳାଚଳ ବନ୍ଦ ରହିବ । ହଂକଂକୁ ପ୍ରତିଦିନ ସ୍ପାଇସ ଜେଟର ଫ୍ଲାଇଟ ଚଳାଚଳ ହୋଇଥାଏ । ତେବେ ଏୟାର ଇଣ୍ଡିଆ ନିଜର ଦିଲ୍ଲୀ-ହଂକଂ ଫ୍ଲାଇଟ ଏବେ ଜାରି ରହିଛି ।
କରୋନା ଭାଇରସ ଯୋଗୁଁ ଗତ ଜାନୁଆରି ଶେଷ ସପ୍ତାହରେ ରାଷ୍ଟ୍ରାୟତ୍ତ ବିମାନସେବା କମ୍ପାନି ଏୟାରଇଣ୍ଡିଆ ଓ ଇଣ୍ଡିଗୋ ଚୀନକୁ ନିଜର ବିମାନ ଚଳାଚଳ ବନ୍ଦ କରିଦେଇଥିଲେ । ଏୟାର ଇଣ୍ଡିଆର ମୁମ୍ବାଇ-ଦିଲ୍ଲୀ-ସାଂଘାଇ ଫ୍ଲାଇଟ ଜାନୁଆରି ୩୧ରୁ ବନ୍ଦ ରହିଛି । ସେହିପରି ଇଣ୍ଡିଗୋର ଦିଲ୍ଲୀ-ଚେଙ୍ଗଡୁ ଓ ବାଙ୍ଗାଲୁରୁ ହଂକଂ ଫ୍ଲାଇଟକୁ ଫେବ୍ରୁଆରି ୧ରୁ ୨୦ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

ସମ୍ବନ୍ଧିତ ଖବର