ବିବାଦୀୟ ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜ ମୁଣ୍ଡରେ ଗୁଳି ଫୁଟାଇ ଆତ୍ମହତ୍ୟା କଲେ, କାରଣ ଅସ୍ପଷ୍ଟ

ଇନ୍ଦୋର: ଜଣାଶୁଣା ଆଧ୍ୟାତ୍ମିକ ଗୁରୁ ଓ ସମାଜସେବୀ ଭୟୁଜୀ ମହାରାଜ ମଙ୍ଗଳବାର ଆତ୍ମହତ୍ୟା କରିଥିବା କଥା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଇନ୍ଦୋରର ବାଁବ୍ରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଭୟୁଜୀ ପୂରା ନାମ ଉଦୟସିଂହ ଦେଶମୁଖ। ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଭୟୁଜୀ ମହାରାଜଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିଲା।

ସୂଚନାଯୋଗ୍ୟ, ଭୟୁଜୀଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଗତ ବର୍ଷ ଆୟୁଷୀ ନାମକ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିିଲେ। ଭୟୁଜୀଙ୍କୁ  କିଛିଦିନ ପୂର୍ବେ ଶିବରାଜ ସିଂ ଚୌହ୍ବାନ ସରକାର ରାଜ୍ୟମନ୍ତ୍ରୀ ପାହ୍ୟା ଦେଇଥିଲେ। କିନ୍ତୁ ସେ ମଧ୍ୟପ୍ରଦେଶ ସରକାରଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ସନ୍ଥମାନଙ୍କ ପାଇଁ ପଦର କିଛି ମହତ୍ତ୍ୱ ନଥାଏ, ଆମ ପାଇଁ ଲୋକମାନଙ୍କ ସେବା ହିଁ ମହତ୍ତ୍ୱ ରଖିଥାଏ ବୋଲି ଭୟୁଜୀ କହିଥିଲେ।

ଇନ୍ଦୋର ପୁଲିସର ଇନ୍ସପେକ୍ଟର ଜୟନ୍ତ ରାଠୋଡଙ୍କ କହିବାନୁସାରେ, ଭୟୁଜୀ ଆଜି ନିଜ ମୁଣ୍ଡରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। କେଉଁ ପରିସ୍ଥିତିରେ ସେ ଏଭଳି ପଦକ୍ଷେପ ନେଇଛନ୍ତି ତାହା ଜଣାପଡ଼ି ନାହିଁ। ହସ୍‌ପିଟାଲ ପରିସରରେ ଅନେକ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର