ଆସାମରେ ବିଷାକ୍ତ ମଦ ପିଇ ୩୯ ମୃତ

ଗୌହାଟୀ : ନିକଟରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ଦେଶୀ ମଦ ପିଇ ଶତାଧିକ ଲୋକଙ୍କର ଜୀବନ ଯିବା ଖବର ମନରୁ ଲିଭିନଥିବା ବେଳେ ଆଜି ଆସାମରେ ଅନୁରୂପ ଘଟଣାରେ ଅତି କମରେ ୩୯ ଜଣଙ୍କ ପ୍ରାଣହାନି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗୁରୁବାର ରାତିରୁ ଆସାମର ଗୋଲହାଟ ଏବଂ ଜୋରହାଟ ଜିଲ୍ଲା ଅନ୍ତର୍ଗତ ତିନିଟି ସ୍ଥାନରେ ଏପରି ଅଘଟଣ ହୋଇଛି। ଗୋଲହାଟ ଜିଲ୍ଲା ଅଧୀନ ଏକ ଚା ବଗିଚାରେ ବିଷାକ୍ତ ମଦ ପିଇ ସ୍ତ୍ରୀ ଓ ପୁରୁଷ ମିଶାଇ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେହି ଜିଲ୍ଲାର ମେରାପାଣି ଅଞ୍ଚଳରେ ଦୁଇ ଜଣ ଆଖି ବୁଜିଛନ୍ତି। ସେହିପରି ଜୋରହାଟ ଜିଲ୍ଲା ଅନ୍ତର୍ଗତ ବୋରଲା ଠାରେ ଅନୁରୂପ ଭାବେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ରାଜ୍ୟର ଏହା ସବୁଠୁ ବଡ଼ ମଦମୃତ୍ୟୁ ଘଟଣା ହୋଇଥିବା ବେଳେ ଏଥିରେ ଗଭୀର ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଵାଲ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମନ୍ତ୍ରୀ ତପନ କୁମାର ଗୋଗୋଇ, ଜୋରହାଟ ସାଂସଦ କାମାକ୍ଷା ପ୍ରସାଦ ତାସା ଏବଂ ଖୁମଟାଇ ବିଧାୟକ ମୃଣାଳ ସାଇକିଆ ତୁରନ୍ତ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର