ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଜାରି : ପାର୍ଲାମେଣ୍ଟ୍‌ରେ ମାଡ଼ପିଟ୍‌ ଲାଗିଲେ ସାଂସଦ, ବାଚସ୍ପତିଙ୍କୁ ଫିଙ୍ଗିଲେ ପାଣି ବୋତଲ, ବହି ଏବଂ ଡଷ୍ଟ୍‍ବିନ୍‌

କଲୋମ୍ବୋ: ମୌଖିକ ଭୋଟ୍‌ରେ ତାଙ୍କୁ ବହିଷ୍କାର କରିବା ନିମନ୍ତେ ବାଚସ୍ପତିଙ୍କର କ୍ଷମତା ନାହିଁ ବୋଲି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷେ ଦାବି କରିବାରୁ ଗୁରୁବାର ଦିନ ଶ୍ରୀଲଙ୍କା ସଂସଦରେ ପ୍ରତିଦ୍ୱନ୍ଦ୍ୱୀ ସାଂସଦମାନେ ମାଡ଼ପିଟ୍‌ ଲାଗିଛନ୍ତି।

ରାଜପାକ୍ଷେଙ୍କ ସରକାରଙ୍କ ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାର ଦିନକ ପରେ ଗଣ୍ଡଗୋଳର ସୂତ୍ରପାତ ହୋଇଛି। ପୁଣି ଥରେ ସଂସଦର ବୈଠକ ଡକାଇ ବାଚସ୍ପତି କାରୁ ଜୟସୂର୍ଯ୍ୟ କହିଲେ, ଦେଶରେ କୌଣସି ସରକାର ନାହିଁ ଏବଂ ପ୍ରଧାନମନ୍ତ୍ରୀ ନାହାନ୍ତି।

ରାଜପାକ୍ଷେ ଏଥିରେ ଅରାଜି ହୋଇ କହିଲେ ଯେ ଭୋଟ୍‌ ଗ୍ରହଣ କରାଯିବା ଅନୁଚିତ। ଏ ଭଳି ଗରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ମୌଖିକ ଭୋଟ୍‌ରେ ପାସ୍‌ କରାଯିବା ଅନୁଚିତ। ପ୍ରଧାନମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ନିଯୁକ୍ତ ଓ ବହିଷ୍କାର କରିବାକୁ ଜୟସୂର୍ଯ୍ୟଙ୍କର କ୍ଷମତା ନାହିଁ।

ରାଜପାକ୍ଷେଙ୍କୁ ସମର୍ଥନ କରୁଥିବା ସାଂସଦମାନେ ସଂସଦ ମଝିରେ ଏକତ୍ର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ବାଚସ୍ପତିଙ୍କର ନିନ୍ଦାବାଦ କରି ତାଙ୍କ ଆଡ଼କୁ ଧାଇଁ ଯାଇଥିଲେ।

ତିନି ଡଜନାଧିକ ସାଂସଦ ମାଡ଼ପିଟ୍‌ ଲାଗିଥିଲେ। ସେମାନଙ୍କ ମଧ୍ୟରୁ କେତେକ ତଳେ ପଡ଼ିଯିବାରୁ ପ୍ରତିଦ୍ୱନ୍ଦ୍ୱୀ ସାଂସଦମାନେ ସେମାନଙ୍କୁ ଗୋଇଠା ମାରିଥିଲେ। କେତେକ ସାଂସଦ ବାଚସ୍ପତିଙ୍କ ଉପରକୁ ପାଣି ବୋତଲ, ବହି ଏବଂ ଡଷ୍ଟ୍‍ବିନ୍‌ ଫିଙ୍ଗିଥିଲେ।

ଗୃହ ମୁଲତବୀ ହେବା ପୂର୍ବରୁ ଏ କାଣ୍ଡ ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା।

ସମ୍ବନ୍ଧିତ ଖବର