ତାମିଲ ବନ୍ଦୀଙ୍କୁ ମୁକ୍ତ କରିବ ଶ୍ରୀଲଙ୍କା

କଲମ୍ବୋ: ଶ୍ରୀଲଙ୍କାର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ତାମିଲ ସଂପ୍ରଦାୟର ଲୋକଙ୍କୁ ମୁକ୍ତ କରିବା ପାଇଁ ନବନିଯୁକ୍ତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ପ୍ରୟାସ ଆରମ୍ଭ କରିଥିବା ସୂଚନା ମିଳିଛି। ରାଜପକ୍ଷେଙ୍କ ପୁଅ ନମଲ ଏ ସଂପର୍କରେ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଛନ୍ତି। ଅଳ୍ପସଂଖ୍ୟକ ସଂପ୍ରଦାୟର ସମର୍ଥନ ହାସଲ ପାଇଁ ସେମାନଙ୍କ ଦାବି ପୂରଣ ଦିଗରେ ଏହା ଏକ ସକରାତ୍ମକ ପଦକ୍ଷେପ ବୋଲି ସେ କହିଛନ୍ତି। ତେବେ ତାମିଲ ସାଂସଦମାନଙ୍କ ସମର୍ଥନ ପାଇବା ପାଇଁ ଏହା ରାଜପକ୍ଷେଙ୍କ ଏକ ବଳିଷ୍ଠ ଚାଲ୍‌ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଏଲ୍‌ଟିଟିଇ ସହିତ ୨୦୦୯ରେ ଶେଷ ହୋଇଥିବା ଯୁଦ୍ଧ ପରେ ଶ୍ରୀଲଙ୍କା ସରକାର ବହୁ ସଂଖ୍ୟାରେ ତାମିଲ ସଂପ୍ରଦାୟର ଲୋକଙ୍କୁ ବନ୍ଦୀ କରିଥିଲେ। ଶତାଧିକ ଲୋକଙ୍କୁ ଆତଙ୍କବାଦର ମିଥ୍ୟା ଅଭିଯୋଗରେ ମଧ୍ୟ ଜେଲ୍‌ରେ ରଖାଯାଇଥିବା ଅଭିଯୋଗ ହୋଇ ଆସୁଥିଲା। ସଂସଦରେ ରାଜପକ୍ଷେଙ୍କୁ ଆସ୍ଥା ଭୋଟ୍‌ରେ ଜିତିବା ପାଇଁ ତାମିଲ ଦଳ ‘ତାମିଲ ନ୍ୟାସନାଲ ଆଲାଏନ୍‌ସ’ସମର୍ଥନ ଜରୁରୀ ଥିବାରୁ ଏବେ ତାମିଲ ବନ୍ଦୀଙ୍କୁ ମୁକ୍ତି ଦେବା ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।

ସମ୍ବନ୍ଧିତ ଖବର