ଭାରତୀୟ କୂଟନୀତିର ବିଫଳତା ! ଚୀନ ହାତକୁ ଗଲା ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦର

କଲମ୍ବୋ: ଚୀନରୁ ଋଣ ନେଇ ସୁଝିପାରୁନଥିବା ଶ୍ରୀଲଙ୍କା ସରକାର ଶେଷରେ ବାଧ୍ୟ ହୋଇ ହାମ୍ବନତୋଟା ବନ୍ଦରକୁ ଚୀନକୁ ୯୯ ବର୍ଷିଆ ଭଡ଼ାସୁତ୍ରରେ ଟେକିଦେଇଛନ୍ତି । ଶ୍ରୀଲଙ୍କାର ଏହି ପଦକ୍ଷେପ ଦ୍ୱାରା ଭାରତର ସୁରକ୍ଷା ପ୍ରତି ଗୁରୁତର ବିପଦର ଆଶଙ୍କା ଦେଖାଦେଇଛି । ଭାରତର ପଶ୍ଚିମ ପଟେ ପାକିସ୍ତାନର ଗ୍ଵାଦର ବନ୍ଦର ଓ ଦକ୍ଷିଣରେ ହାମ୍ବନତୋଟାରେ ଚୀନର ଉପସ୍ଥିତି ଭାରତକୁ ବେଶ ଚିନ୍ତାରେ ପକାଇଦେଇଛି ।

ଦୁଇଟି ଚାଇନା କମ୍ପାନି ହାମ୍ବନତୋଟା ଇଣ୍ଟରନାସନାଲ ପୋର୍ଟ ଗ୍ରୁପ ଓ ହାମ୍ବନତୋଟା ପୋର୍ଟ ସର୍ଭିସେସ୍‌ ଏହି ବନ୍ଦର ଓ ତାଚାରିପଟେ ଥିବା ଇନଭେଷ୍ଟମେଣ୍ଟ ଅଞ୍ଚଳକୁ ନିଜ ମାଲିକାନାକୁ ନେବ । ଏହି ଦୁଇଟି କମ୍ପାନି ଚାଇନା ମର୍ଚାଣ୍ଟ ପୋର୍ଟ ହୋଲଡିଂସ କମ୍ପାନି ଓ ଶ୍ରୀଲଙ୍କା ପୋର୍ଟ ହୋଲଡିଂସ ଦ୍ୱାରା ପରିଚାଳିତ ।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନିଲ ଓ୍ଵିକ୍ରମସିଂଘେ ଗତ ଏପ୍ରିଲରେ ଚୀନ ଗସ୍ତରେ ଯାଇଥିବା ବେଳେ ଏନେଇ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଥିଲା ବୋଲି ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବନ୍ଦର ପ୍ରକଳ୍ପ ପାଇଁ ଶ୍ରୀଲଙ୍କା ସରକାର ଚୀନଠାରୁ ପ୍ରାୟ ୮ ବିଲିୟନ ଡଲାରର ଋଣ ନେଇଛନ୍ତି । ଆର୍ଥକ ସଂକଟରେ ପଡିଥିବା ଶ୍ରୀଲଙ୍କା ଏହି ଋଣ ସୁଝିବା ସ୍ଥିତିରେ ନାହିଁ ।

ତେବେ ଶ୍ରୀଲଙ୍କାର ଏହି ନିଷ୍ପତ୍ତିକୁ ଭାରତୀୟ କୂଟନୀତିର ଏକ ବିଫଳତା ବୋଲି ମଧ୍ୟ କୁହାଯାଉଛି । କାରଣ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଭାରତ ମହାସାଗରରେ ଚୀନର ପ୍ରଭାବକୁ ରୋକିବାକୁ ଉଦ୍ୟମ କରିଆସୁଛନ୍ତି । ଶ୍ରୀଲଙ୍କା ବନ୍ଦରରେ ଚୀନର ଉପସ୍ଥିତିକୁ ହ୍ରାସ କରିବାକୁ ଭାରତ ସରକାର ଶ୍ରୀଲଙ୍କା ସହ କଥାବାର୍ତ୍ତା କରୁଥିଲେ । ଏପରିକି ଶ୍ରୀଲଙ୍କା ଯେପରି ଋଣମୁକ୍ତ ହୋଇପାରିବ ସେଥିଲାଗି ଭାରତ ସରକାର ଆର୍ଥିକ ସହାୟତା ଦେବାକୁ ମଧ୍ୟ ପ୍ରସ୍ତୁତ ଥିବା କେତେକ ରିପୋର୍ଟ ପ୍ରକାଶ ପାଇଥିଲା ।

ସମ୍ବନ୍ଧିତ ଖବର