ଶ୍ରୀଲଙ୍କାରେ ହିଂସା ଅଣାୟତ୍ତ, ଇଣ୍ଟରନେଟ୍‌ ବନ୍ଦ

ନୂଆଦିଲ୍ଲୀ: ଭାରତୀୟ ମହାସାଗରର ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଦେଖାଦେଇଥିବା ସାମ୍ପ୍ରଦାୟିକ ଦଙ୍ଗା ଏବଂ ହିଂସାକାଣ୍ଡ ଥମିବାର ନାମ ନେଉନି। ଜରୁରୀ ସ୍ଥିତି ଘୋଷଣା ସତ୍ତ୍ୱେ ଶ୍ରୀଲଙ୍କାରେ ଏବେ ମୁସଲିମ ବିରୋଧୀ ଦଙ୍ଗା ଅତି ଉଗ୍ର ରୂପ ନେଇଛି। ହିଂସାକାଣ୍ଡ ରୋକିବାପାଇଁ ସେନା ଲଗାତାର ପ୍ରୟାସ ଜାରି ରଖିଥିବା ବେଳେ ରାଷ୍ଟ୍ରର ୫୦ ପ୍ରତିଶତ ଅଂଚଳରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ପୁଲିସ ଆଜି ତୃତୀୟ ଦିନରେ ହିଂସାକାଣ୍ଡ ବ୍ୟାପୁଥିବା ଅଞ୍ଚଳରେ କର୍ଫ୍ୟୁ ଜାରି କରିଛି। ଆଜି କିଛି ବୌଦ୍ଧ ଧର୍ମାବଲମ୍ବା ଗୋଷ୍ଠୀଙ୍କ ଦ୍ୱାରା ପୁଣିଥରେ ଶ୍ରୀଲଙ୍କାର ଦୁଇଟି ସହରରେ ମସଜିଦ୍‌ ଭାଙ୍ଗି ଦିଆଯାଇଛି ଏବଂ ମୁସଲିମ୍‌ ବ୍ୟକ୍ତିଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ଆକ୍ରମଣ ହୋଇଛି । ଉଲ୍ଲେଖଯୋଗ୍ୟ ଗତ କିଛିବର୍ଷ ହେବ ଶ୍ରୀଲଙ୍କାରେ ସଂଖ୍ୟାଗରିଷ୍ଠ ସିଂହଳୀ ବୌଦ୍ଧଧର୍ମାବଲମ୍ବୀ ଏବଂ ସଂଖ୍ୟାଲଘୁ ମୁସଲିମ୍‌ମାନଙ୍କ ମଧ୍ୟରେ ବିଭେଦ ଓ ଅସହିଷ୍ଣୁତା ବୃଦ୍ଧି ପାଇଛି। ମୁସଲିମ୍‌ମାନେ ବୌଦ୍ଧ ଧର୍ମର କୀର୍ତ୍ତିରାଜି ଧ୍ୱଂସ କରିବା ସହ ବୌଦ୍ଧଧର୍ମାବଲମ୍ବୀ ବ୍ୟକ୍ତିମାନଙ୍କୁ ଇସଲାମ୍‌ ଧର୍ମକୁ ରୂପାନ୍ତରିତ ହେବାକୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ ଆଣି ଏବେ ଶ୍ରୀଲଙ୍କାରେ ପୁଣିଥରେ ମୁସଲିମ୍‌ ବିରୋଧୀ ଦଙ୍ଗା ତେଜିଛି।

ସମ୍ବନ୍ଧିତ ଖବର