ରେଳ ଲାଇନ୍‌ରେ ପ୍ରଫେସରଙ୍କ ମୃତଦେହ, ଅଧଘଣ୍ଟା ପରେ ମା’ଙ୍କ ଝୁଲନ୍ତା ଶବ ଉଦ୍ଧାର

ନୂଆଦିଲ୍ଲୀ, : ଦିଲ୍ଲୀ ବିଶ୍ବବିଦ୍ୟାଳୟର ସେଣ୍ଟ୍‌ ଷ୍ଟିଫେନ୍ସ କଲେଜ୍‌ର ଜଣେ ୨୭ ବର୍ଷୀୟ ଆଡହକ୍‌ ଆସିଷ୍ଟାଣ୍ଟ୍‌ ପ୍ରଫେସରଙ୍କ ମୃତଦେହ ସରାଇ ରୋହିଲା ‌ଷ୍ଟେସନ୍‌ ନିକଟସ୍ଥ ରେଳ ଲାଇନ୍‌ରୁ ଉଦ୍ଧାର ହୋଇଛି। ଏହାର ଠିକ୍‌ ଅଧଘଣ୍ଟା ପରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମା’ଙ୍କର ଝୁଲନ୍ତା ଶବ ଉତ୍ତରପଶ୍ଚିମ ଦିଲ୍ଲୀର ପିତମପୁର ସ୍ଥିତ ବାସଭବନରୁ ଉଦ୍ଧାର ହୋଇଥିଲା। ପୁଲିସ କହୁଛି ‌ଏହି ମା’ ପୁଅ କେରଳ ବା‌ସିନ୍ଦା। ସେମାନଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସକାଇବା ମାମଲା ରହିଛି। ପ୍ରଫେସରଙ୍କ ବାପା ଗତ ବର୍ଷ ‌ଡିସେମ୍ବରରେ ଆତ୍ମହତ୍ୟା କରିଥିଲେ। ତେବେ ତାଙ୍କ ବାପାଙ୍କର ପୂର୍ବତନ ପତ୍ନୀ ଏନେଇ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମା’ ଏବଂ ତାଙ୍କ ବିରୋଧରେ କେରଳରେ ଏକ ଥାନାରେ ମାମଲା ରୁଜୁ କରିଥିଲେ। ଯଦିଓ ଏହି ମାମଲାରେ ଉଭୟ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ତାଙ୍କ ମା’ ଅନ୍ତରୀଣ ଜାମିନ ପାଇଥିଲେ ତଥାପି ସେମାନେ ଖୁ୍ବ୍‌ ବିଷାଦରେ ରହୁଥିଲେ ବୋଲି ପୁଲିସ କହୁଛି। ଅନ୍ୟପକ୍ଷେ କୋଟ୍ଟାୟମ୍‌ ଏସ୍‌ପି ହରି ଶଙ୍କର କହିଛନ୍ତି, ଡିୟୁ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ତାଙ୍କ ମା’ଙ୍କ ବିରୋଧରେ କୌଣସି ମାମଲା ନାହିଁ। ତଦନ୍ତକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଡିୟୁ ଆସିଷ୍ଟାଣ୍ଟ ପ୍ରଫେସର ଆତ୍ମହତ୍ୟା କରିବା ପୂର୍ବରୁ ପ୍ରଥମେ ତାଙ୍କ ମା’ଙ୍କୁ ହତ୍ୟା କରିଥିଲେ। ତାଙ୍କ ମା’ଙ୍କ ପାଟିରେ କିଛି କପଡ଼ା ଭର୍ତ୍ତି ହୋଇଥିବାରୁ ଏବଂ ତାଙ୍କ ଗୋଡ଼ ବନ୍ଧା ଯାଇଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ ସନ୍ଦେହ କରୁଛି। ସେହିପରି ମହିଳାଙ୍କ ମୃତଦେହ ନିକଟରୁ ୨ଟି ଛୁରୀ ମିଳିଥିବାରୁ ପୁଲିସ ଏନେଇ ଏକ ହତ୍ୟା‌ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର