ବିଭିନ୍ନ ରାଜ୍ୟରେ ସରକାରଙ୍କ ନିୟନ୍ତ୍ରଣକୁ ଗଲା‌ ଷ୍ଟାର ହୋଟେଲ୍‌: ପାଲଟିଲା ଆଇସୋଲେସନ୍‌ ୱାର୍ଡ, କ୍ବାରାଣ୍ଟିନ ସେଣ୍ଟର

ନୂଆଦିଲ୍ଲୀ: କରୋନା ବିଶ୍ବ ମହାମାରୀ ବିରୋଧରେ ଲଢ଼େଇ ପାଇଁ ବିଭିନ୍ନ ରାଜ୍ୟ ସରକାର ଏବେ ଯୁଦ୍ଧ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅଧିକାଂଶ ରାଜ୍ୟ ଏବେ ଘରୋଇ ହୋଟେଲ୍‌ ଏବଂ ମଲ୍ଟି ଷ୍ଟାର ଫ୍ୟାସିଲିଟ ଗୁଡ଼ିକୁ ରୋଗୀମାନଙ୍କ ପାଇଁ ସ୍ବତନ୍ତ୍ର ୱାର୍ଡ‌ରେ ପରିଣତ କରିଛନ୍ତି। ମଧ୍ୟପ୍ରଦେଶର ସମୁଦାୟ କରୋନା ମାମଲାର ୭୦ ପ୍ରତିଶତ ଇନ୍ଦୋର ଏବଂ ଉଜ୍ଜୟିନୀରେ ହୋଇଥିବାରୁ ଶିବରାଜ ସିଂହ ଚୌହାନ ସରକାର ୨୮ଟି ହୋଟେଲ୍‌, ରିସୋର୍ଟ ଏବଂ ମ୍ୟାରେଜ୍‌ ଗାର୍ଡେନ୍‌ ନିୟନ୍ତ୍ରଣକୁ ନେଇଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି ୨୨ଟି ହୋଟେଲ୍‌, ରିସୋର୍ଟ‌୍‌, ମ୍ୟାରେଜ୍‌ ଗାର୍ଡେନ୍‌କୁ କ୍ବାରାଣ୍ଟିନ୍‌ ସେଣ୍ଟରରେ ପରିଣତ କରାଯାଇଛି। ଏଠାରେ ୧୨,୦୦ ରୋଗୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି। ରାଜସ୍ଥାନର ଭିଲୱାଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତ‌ିରେ ମାଡ଼ି ଚାଲିଥିବାରୁ ସରକାର ଏଠାରେ ୨୦ଟି ହୋଟେଲ୍‌କୁ ନିଜ ନିୟନ୍ତଣକୁ ନେଇ ଏହାକୁ କ୍ବାରାଣ୍ଟିନ୍‌ ସେଣ୍ଟରରେ ପରିଣତ କରିଛନ୍ତି। ଜୟପୁରରେ ମଧ୍ୟ ଜିଲ୍ଲା ପ୍ରଶାସନ ୧୦,୦୦୦ ଏମର୍ଜେନ୍ସି ଆଇସୋଲେସନ୍‌ ବେଡ୍‌ ପାଇଁ ପ୍ରସ୍ତୁତ କରୁଛନ୍ତି। ହୋଟେଲ୍‌, ଘ‌ରୋଇ ହସ୍ପିଟାଲ୍‌, ବିଶ୍ବବିଦ୍ୟାଳୟ, କମ୍ୟୁନିଟି ହଲ୍‌ , ଧର୍ମଶାଳା ଏବଂ କ୍ଲବ୍‌ ଆଦିକୁ ଆଇସୋଲେସନ୍‌ ୱାର୍ଡରେ ପରିଣତ କରାଯିବ। କେରଳର ଏର୍ନା‌କୁଲମ୍‌ରେ ପ୍ରାୟ ୭୪ଟି କୋଠା ବିଶେଷ କରି ହୋଟେଲ୍‌ ଏବଂ ହଷ୍ଟେଲ୍‌ଗୁଡ଼ିକୁ ଆଇସୋଲେସନ୍‌ ୱାର୍ଡରେ ପରିଣତ କରିବାପାଇଁ ବ୍ୟବସ୍ଥା ହୋଇଛି। ଉତ୍ତରପ୍ରଦେଶରେ ଯୋଗୀ ସରକାର ୪ଟି ମଲ୍ଟି ଷ୍ଟାର ହୋଟେଲ୍‌କୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି।

ସମ୍ବନ୍ଧିତ ଖବର