ପୋଲାଭରମ ମାମଲା: ପ୍ରକଳ୍ପ ସମ୍ପର୍କିତ ନଥିପତ୍ର ଦାଖଲ

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ୍‌ ଇନ୍ଦିରା ସାଗର ବହୁମୂଖୀ ଜଳସେଚନ ପ୍ରକଳ୍ପ ସମ୍ବନ୍ଧିତ ୧୪୨୭ ପୃଷ୍ଠାର ୧୩୬ଟି ନଥିପତ୍ରକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଦାଖଲ ହୋଇଥିବା ନଥିପତ୍ରରେ ଓଡ଼ିଶାଦ୍ୱାରା ପ୍ରକଳ୍ପ ବିରୋଧରେ ଯେଉଁ ଆପତ୍ତି ଓ ଅଭିଯୋଗ ରହିଥିଲା ତା’ର ସମସ୍ତ ପ୍ରମାଣ ସଂଲଗ୍ନ କରାଯାଇଛି। ଉଲ୍ଳେଖଯୋଗ୍ୟ ଚଳିତମାସ ୨ ତାରିଖରେ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗଗୁଡ଼ିକ ଧାର୍ଯ୍ୟ କରିବା ସମୟରେ ସମସ୍ତ ନଥିପତ୍ର କୋର୍ଟରେ ୨ ସପ୍ତାହ ମଧ୍ୟରେ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲାଭରମ୍‌ ପ୍ରକଳ୍ପ ମାମଲାର ଶୁଣାଣି ଆସନ୍ତା ୯ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରି ସାରିଛନ୍ତି। ପ୍ରକଳ୍ପ ସମ୍ବନ୍ଧିତ ୪୮ ବର୍ଷର ବିଭିନ୍ନ ନଥିପତ୍ରକୁ ଦାଖଲ କରାଯାଇଛି। ଆନ୍ଧ୍ରପ୍ରଦେଶ ସରକାରଙ୍କ ଜୁନ୍‌ ୧୯୭୦ର ଇନ୍‌ଚମ୍‌ପଲ୍ଲୀ ପ୍ରକଳ୍ପ ରିପୋର୍ଟରୁ ଆରମ୍ଭ କରି ଚଳିତ ମାସ (୧୪.୮.୨୦୧୮)ର ରୁଡ଼୍‍କି ହାଇଡ୍ରୋଲୋଜି ବିଶେଷଜ୍ଞଙ୍କର ପ୍ରାରମ୍ଭିକ ରିପୋର୍ଟକୁ ନଥିପତ୍ରରେ ସାମିଲ୍‌ କରାଯାଇଛି।

ସମ୍ବନ୍ଧିତ ଖବର