ପୁଅ ପାଇଁ ମୁହଁ ଖୋଲିଲେ ଅମିତ ଶାହ

ନୂଆଦିଲ୍ଲୀ: ପୁଅ ଜୟ ଶାହଙ୍କ କମ୍ପାନିକୁ ନେଇ ଉଠିଥିବା ବିବାଦ ସଂପର୍କରେ ଆଜି ପ୍ରଥମ ଥର ପାଇଁ ବିଜେପି ଅଧ୍ୟକ୍ଷ ଅମିତ ଶାହ ମୁହଁ ଖୋଲିଛନ୍ତି। ଏହି ମାମଲାରେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ କଡ଼ା ସମାଲୋଚନା ଜାରି ରଖିଥିବା ବେଳେ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ଶାହ ତାଙ୍କ ମତ ରଖି ଦୁର୍ନୀତିର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି। କମ୍ପାନିର ସମସ୍ତ କାରବାର ବ୍ୟାଙ୍କ ଏବଂ ଚେକ୍‌ ମାଧ୍ୟମରେ ହୋଇଛି ଏବଂ ପ୍ରତ୍ୟେକ କାରବାର ସର୍ବାଧିକ ସ୍ୱଚ୍ଛତାରେ ହୋଇଥିବାରୁ ମନଗଢ଼ା ଅଭିଯୋଗର କିଛି ଦମ୍‌ ନାହିଁ ବୋଲି ସେ କହିଛନ୍ତି। କୃଷିଜାତ ସାମଗ୍ରୀର କାରବାର କମ୍ପାନି କରୁଥିବାରୁ ଏଥିରେ ଟର୍ନଓଭର ଅଧିକ ଥାଏ କିନ୍ତୁ ଲାଭ ବହୁତ କମ୍‌। ୮୦ କୋଟି ଟଙ୍କାର କାରବାର ହୋଇଥିବା ନେଇ କୁହାଯାଉଥିବା ବେଳେ କେତେ ଅର୍ଥ କ୍ଷତି ହୋଇଛି ତାହା କେହି କହୁନାହାନ୍ତି ବୋଲି ଶାହ କହିଛନ୍ତି। ଏହି କାରବାରରେ ଦେଢ଼ କୋଟି ଟଙ୍କା କ୍ଷତି ହୋଇଛି। କୌଣସି କାରବାରେ ଟଙ୍କାଟିଏ ବି ବେଆଇନ କାରବାର ହୋଇନାହିଁ ଏବଂ ଏ ବାବଦରେ ଯାଞ୍ଚ ପାଇଁ ଆମେ ଆହ୍ଵାନ ଦେଉଛୁ ବୋଲି ସେ କହିଛନ୍ତି। ଦେଶ ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ କଂଗ୍ରେସ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ହୋଇଛି, କିନ୍ତୁ କଂଗ୍ରେସ କେବେ ମାନାହାନି ମକଦ୍ଦମା କରିଛି କି ବୋଲି ଶାହ ପ୍ରଶ୍ନ କରିଛନ୍ତି। ମିଥ୍ୟା ଅଭିଯୋଗ ଆଣିଥିବା ଲୋକେ ଯାଞ୍ଚ ଦାବି କରୁଛନ୍ତି, କିନ୍ତୁ ଆମେ ନିଜେ ଯାଞ୍ଚକୁ ନିମନ୍ତ୍ରଣ ଦେଉଛୁ ବୋଲି ସେ କହିଛନ୍ତି। ଅଭିଯୋଗକାରୀମାନେ ପ୍ରମାଣ ଧରି ଆସନ୍ତୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ , ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କମ୍ପାନି ଟେମ୍ପଲ୍‌ ଏଣ୍ଟରପ୍ରାଇଜ୍‌ ୨୦୧୫-୧୬ରେ ପୂର୍ବ ବର୍ଷ ତୁଳନାରେ ୧୬,୦୦୦ ଗୁଣ ଅଧିକ କାରବାର କରିଥିବା ନେଇ େଓ୍ଵବ୍‌ସାଇଟ୍‌ ‘ଦ ଓୟାର’ ଖବର ପ୍ରକାଶ କରିଥିଲା।

ସମ୍ବନ୍ଧିତ ଖବର