ଡ୍ୟୁଟି ସମୟରେ ମଦ ପିଇ ଶୋଇଗଲେ ଷ୍ଟେସନ ମାଷ୍ଟର, ଲାଇନ୍‌ କ୍ଲିୟରାନ୍ସ ନ ମିଳିବାରୁ ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ଟ୍ରେନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜଣେ ରେଳ କର୍ମଚାରୀଙ୍କ ଏକ ବଡ଼ ଅବହେଳା ସାମ୍ନାକୁ ଆସିଛି । ଜମ୍ମୁ-ହାଓ୍ଵଡ଼ା ମୁଖ୍ୟ ରେଳ ଲାଇନ୍‌ ସ୍ଥିତ ମୁରଶଦ୍‌ପୁର ଷ୍ଟେସନର ରେଳ ମାଷ୍ଟର ଡ୍ୟୁଟି ସମୟରେ ମଦ ପିଇ ଶୋଇଯିବାରୁ ତା’ର ପରିଣାମ ଲୋକମାନଙ୍କୁ ଭୋଗିବାକୁ ପଡ଼ିଛି । ଲାଇନ୍‌ କ୍ଲିୟରାନ୍ସ ନ ମିଳିବାରୁ ଘଣ୍ଟା ଘଣ୍ଟା ଧରି ୪ଟି ଏକ୍ସପ୍ରେସ ଟ୍ରେନ ଏବଂ ୨ଟି ମାଲବାହୀ ଟ୍ରେନ ଅଟକି ରହିଥିଲା । ଷ୍ଟେସନ ମାଷ୍ଟରଙ୍କୁ କଣ୍ଟ୍ରୋଲ ରୁମ୍‌ ତରଫରୁ ଯେତେ ସଂପର୍କ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ଦୀର୍ଘ ସମୟ ଧରି ଏପରି ସମସ୍ୟା ଲାଗି ରହିବା ପରେ ନଜିବାବାଦ୍‌ରୁ ଆଉ ଜଣେ ଷ୍ଟେସନ ମାଷ୍ଟରଙ୍କୁ ପଠାଯାଇ ଟ୍ରେନ୍‌ର ପରିଚାଳନା ଆରମ୍ଭ କରାଯାଇଥିଲା । ଏହି ଅସୁବିଧା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିବା ବେଳେ ଅଭିଯୁକ୍ତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ନଜିବାବାଦ୍‌ରୁ ୧୦କି.ମି ଦୂରରେ ରହିଛି ମୁରଶଦ୍‌ପୁର ଷ୍ଟେସନ । ଶୁକ୍ରବାର ରାତିରେ ଏହି ଷ୍ଟେସନରେ ଷ୍ଟେସନ ମାଷ୍ଟର ଭାବରେ କାମ କରୁଥିବା ଦୀପ୍‌ ସିଂ ଡ୍ୟୁଟିରେ ଥିଲେ । ଡ୍ୟୁଟିରେ ଥାଇ ମଧ୍ୟ ସେ ନିଶା ସେବନ କରି ଶୋଇ ପଡ଼ିଥିଲେ ।

YouTube

ଏହି ସମୟରେ ଡ଼େରାଡ଼ୁନ୍‌ରୁ ବାରଣାସୀ ଯାଉଥିବା ଜନତା ଏକ୍ସପ୍ରେସ ରାତି ପ୍ରାୟ ୧୦.୪୨ରେ ନଜିବାବାଦ୍‌ ଷ୍ଟେସନରେ ପହଞ୍ଚିଥିଲା । ଟ୍ରେନକୁ ଆଗକୁ ଲାଇନ୍‌ ଦେବା ପାଇଁ ରାତି ୧୦.୩୦ରୁ ନଜିବାବାଦ୍‌ର ଷ୍ଟେସନ ମାଷ୍ଟର ମୁରଶଦ୍‌ପୁର ଷ୍ଟେସନ ମାଷ୍ଟରଙ୍କୁ ସଂପର୍କ କରିବା ଆରମ୍ଭ କରିଥିଲେ । କିନ୍ତୁ ମୁରଶଦ୍‌ପୁର ଷ୍ଟେସନ ମାଷ୍ଟର କୌଣସି ଜବାବ ନ ଦେବାରୁ ଜନତା ଏକ୍ସପ୍ରେସକୁ ନଜିବାବାଦ୍‌ ଷ୍ଟେସନରେ ରୋକି ଦିଆ ଯାଇଥିଲା । ପରେ ଏହାର ସୂଚନା ମୁରାଦାବାଦ୍‌ କଣ୍ଟ୍ରୋଲ ରୁମ୍‌କୁ ଦିଆଯିବା ପରେ ବି.ପି ଶୁକ୍ଲା ନାମକ ଜଣେ ଷ୍ଟେସନ ମାଷ୍ଟରଙ୍କୁ ତଦାରଖ ପାଇଁ ମୁରଶଦ୍‌ପୁର ଷ୍ଟେସନକୁ ପଠାଯାଇଥିଲା । ଷ୍ଟେସନ ମାଷ୍ଟର ସେଠାରେ ପହଞ୍ଚିବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ବି.ପି ଶୁକ୍ଲା ସେଠାରେ ପହଞ୍ଚି ଲାଇନ୍‌ କ୍ଲିୟର ହେବାର ସୂଚନା ଦେବା ପରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର